ସରିଲା କାର୍ତ୍ତିକ ମାସ ଆଜି ପଡିଛି ଛାଡଖାଇ, ସକାଳୁ ଆମିଷ ଦୋକାନରେ ଲୋକଙ୍କ ଭିଡ..
1 min readସରିଲା ଧର୍ମର ମାସ କାର୍ତ୍ତିକ, ଆଜି ଛାଡଖାଇ । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ ।ମଙ୍ଗଳବାର ଥିବାରୁ ଛାଡଖାଇ ବେଶ୍ ଜମିବ ବୋଲି ଆଶା ରଖାଯାଇଛି । ଛାଡଖାଇ ପାଳିବା ପାଇଁ ଲୋକଙ୍କ ମଧ୍ୟରେ ଖୁବ୍ ଆଗ୍ରହ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଜମିଥିଲେ ବି ଆଜି ମଙ୍ଗଳବାର ହୋଇଥିବାରୁ ସାମାନ୍ୟ ଫିକା ପଡିଛି ବଜାର। ଭିନ୍ନଭିନ୍ନ ପ୍ରକାରର ମାଛ, ଚିଙ୍ଗୁଡ଼ି, କଙ୍କଡ଼ା, ଚିକେନ୍, ମଟନ୍ କିଣିବାକୁ ଲୋକେ ସକାଳୁ ମାର୍କେଟରେ ପହଞ୍ଚିଲେଣି । ଆସନ୍ତାକାଲି ବୁଧବାର ପଡୁଥିବାରୁ ଘରେ ଘରେ ମାଛ ମାଂସର ଆସର ଜମିବ ।ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି । ବ୍ରତୀମାନେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣରୁ ନିଜକୁ ବଞ୍ଚେଇ ରଖିଥାନ୍ତି ।
ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ସୃଷ୍ଟି । ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା । ତଥ୍ୟ ଅନୁଯାୟୀ ଓଡ଼ିଆ ସାଧବ ପୁଅମାନେ ନୌବାଣିଜ୍ୟ କରିବା ପାଇଁ ଏବଂ କେଉଟମାନେ ସମୁଦ୍ରକୁ ମାଛ ମାରିବା ପାଇଁ ଏହି ସମୟରେ ଯାତ୍ରାରମ୍ଭ କରୁଥିଲେ । ସେମାନଙ୍କୁ ମେଲାଣି ଦେବାପାଇଁ ଆୟୋଜନ କରାଯାଉଥିବା ଭୋଜିରେ ଆମିଷ ଖାଦ୍ୟ ରହୁଥିଲା । ଛାଡ଼ଖାଇ ଏହିପରି ଭାବରେ ଆରମ୍ଭ ହୋଇଥାଇପାରେ ବୋଲି ଲୋକମତ ରହିଛି । ବର୍ଷର ଏହି ସମୟରେ ମାଛମାନେ ସମୁଦ୍ର ତଟକୁ ଆସନ୍ତି, ତେଣୁ ମାଛ ଅମଳ ମଧ୍ୟ ଭଲ ହୋଇଥାଏ । କିଛି ମତରେ, ଛାଡ଼ଖାଇରୁ ଶୀତ ଋତୁର ଆରମ୍ଭ ହୋଇଥାଏ ।କାଲି ଆମିଷ ବଜାରରେ ଆଜି ଅପେକ୍ଷା ଅଧିକ ଭିଡ଼ ହେବା ଆଶା କରାଯାଉଛି । ଏଥିପାଇଁ ବେପାରୀମାନେ ପ୍ରସ୍ତୁତ । ଚିଲିକା ଚିଙ୍ଗୁଡ଼ି ଓ ଦେଶା ମାଛ ବିକ୍ରି ବଢିବା ଆଶା । କୋଲକାତା ଏବଂ ଉତ୍ତରପ୍ରଦେଶରୁ ଆସିଛି ଖାସି ।ଭୁବନେଶ୍ୱରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୫୦୦ରୁ ୬୦୦ଟଙ୍କା କିଲୋରେ ମିଳୁଛି, ଦେଶୀ ଚିକେନ ୨୨୦ ଟଙ୍କା ରହିଛି ।