Pratidin TV

Odisha's Digital News Platform

ଆଜି ମହାଳୟା, ପିତୃପୁରୁଷଙ୍କୁ ସବୁଆଡେ ଦିଆଯାଉଛି ପିଣ୍ଡଦାନ..

1 min read

ଆଜି ହେଉଛି ପବିତ୍ର ମହାଳୟା । ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ ଅଟେ । ଆଜି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ପରମ୍ପରା ରହିଛି । ମହାଳୟା ଶ୍ରାଦ୍ଧ ଭାଦ୍ରବ ମାସର ଶୁକ୍ଳ ପକ୍ଷର ପୂର୍ଣ୍ଣିମାରୁ ଆରମ୍ଭ ହୋଇଥାଏ । ସନାତନ ଧର୍ମରେ ମହାଳୟାର ଏକ ବିଶେଷ ମହତ୍ତ୍ୱ ରହିଛି । ମହାଳୟା ଦିନକୁ ନବରାତ୍ରୀ ଏବଂ ପିତୃପକ୍ଷର ମିଳନ ସମୟ ମଧ୍ୟ କୁହାଯାଏ । ଏହି ପିତୃପକ୍ଷରେ ପିତୃ ପୁରୁଷମାନେ ମର୍ତ୍ତମଣ୍ଡଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି । ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଯେଉଁ ତିଥିରେ ଯାହାଙ୍କର ପିତା ମାତାଙ୍କ ମୃତ୍ୟୁ ହୋଇଥାଏ ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି । ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟି, ପ୍ରପିତାମୟି, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବାର ବିଧି ରହିଛି । ପିତୃପକ୍ଷରେ ଶ୍ରୀମନ୍ଦିର ବାଇଶିପାହାଚରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପିତୃପକ୍ଷରେ ଦେବତା ମାନେ ମଧ୍ୟ ପିଣ୍ଡଦାନ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।


ମହାଳୟା ନେଇ କ’ଣ କୁହେ ଆମ ପୁରାଣ?
କୁହାଯାଇଛି ଯେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ମହିଷାସୁରକୁ ପରାସ୍ତ କରିବା ପାଇଁ ଦେବୀ ଦୁର୍ଗାଙ୍କୁ ସୃଷ୍ଟି କରିଥିଲେ । ତପସ୍ୟା କରି ମହାଦେବଙ୍କ ଠାରୁ ମହିଷାସୁର ସର୍ବଦା ଜୀବିତ ରହିବାର ବରଦାନ ପାଇଥିଲା । ଏଥିପାଇଁ ତାକୁ ମାରିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇ ପଡିଥିଲା । ଶେଷରେ ୩ଦେବତା ମିଶି ମାଆ ଦୂର୍ଗାକୁ ସୃଷ୍ଟି କରି ଅନେକ ଅସ୍ତ୍ରଶସ୍ତ୍ର ସହ ଧରାପୃଷ୍ଠକୁ ମହିଷାସୁରକୁ ବିନାଶ କରିବା ପାଇଁ ପଠାଇଥିଲେ ।ମୌଳିକ ଭାବରେ ମହାଳୟା ଦେବୀ ହେଉଛନ୍ତି ଦୁର୍ଗାଙ୍କ ପ୍ରତୀକ । ଦେବୀ ଦୁର୍ଗା ଏବଂ ମହିଷାସୁର ମଧ୍ୟରେ ନଅ ଦିନ ଧରି ଯୁଦ୍ଧ ଚାଲିଥିଲା । ଦଶମ ଦିନରେ ସେ ମହିଷାସୁରକୁ ପରାସ୍ତ କଲେ । ଏଥିପାଇଁ ଦେବୀ ଦୁର୍ଗାଙ୍କୁ ଶକ୍ତିର ଅବତାର ଭାବରେ ସମ୍ମାନିତ କରି ଭକ୍ତମାନେ ଦଶ ଦିନକୁ ବହୁତ ଉତ୍ସାହର ସହିତ ପାଳନ କରନ୍ତି । ଦେବୀ ଦୁର୍ଗା ମହାଳୟାଙ୍କ ପ୍ରତୀକ ହୋଇଥିବାରୁ ଏହାକୁ ମହାଳୟା ନାମରେ ମଧ୍ୟ ନାମିତ କରାଯାଇଛି ।

Advertisement


ଅନ୍ୟପଟେ ମହାଳୟାକୁ ନେଇ ଆମ କିମ୍ବଦନ୍ତୀଙ୍କ ଅନ୍ୟ ମତ ରହିଛି । ମହାଳୟା ଅମାବାସ୍ୟା ତିନି ପିଢି ପର୍ଯ୍ୟନ୍ତ ପିତୃପୁରୁଷମାନେ ତୁରନ୍ତ ସ୍ୱର୍ଗକୁ ଯାଇପାରନ୍ତି ନାହିଁ । ଫଳରେ ସେମାନେ ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଅବସ୍ଥିତ ଏକ ମଧ୍ୟବର୍ତ୍ତୀ କ୍ଷେତ୍ରରେ ବାସ କରନ୍ତି । ଏହାକୁ’ ପିତୃଲୋକ’ କୁହାଯାଏ । ବିଶ୍ୱାସ କରାଯାଏ ଯେ ପ୍ରତିବର୍ଷ ଏହି ମହାଳୟାରେ ପିତୃପୁରୁଷମାନେ ସେମାନଙ୍କ ବଂଶଧରମାନଙ୍କ ଘରକୁ ଆସନ୍ତି ଏବଂ ତା’ପରେ ସ୍ୱର୍ଗକୁ ଯାଆନ୍ତି । ପିତୃପୁରୁଷମାନଙ୍କୁ ମହାଳୟା ଦିନ ସ୍ମରଣ କରାଯାଏ । ଶ୍ରଦ୍ଧାଳୁମାନେ ସେମାନଙ୍କ ପୂର୍ବପୁରୁଷଙ୍କ ସ୍ମୃତିରେ ତର୍ପଣ କରନ୍ତି । ପବିତ୍ର ଗଙ୍ଗା ନଦୀ ଠାରୁ ଆରମ୍ଭକରତି ଅନ୍ୟ ନଦୀକୂଳରେ ଖାଲି ପେଟରେ ତର୍ପଣ ଦିଆଯାଏ । ରୀତିନୀତି ସମାପ୍ତ କରିବା ପରେ ଶ୍ରଦ୍ଧାଳୁମାନେ ଖାଦ୍ୟ ଗ୍ରହଣ କରନ୍ତି ।ମହାଳୟା ପିତୃପକ୍ଷର ସମାପନର ପ୍ରତୀକ ହୋଇଥିବାରୁ ଏହାକୁ ପିତୃ ଅମାବାସ୍ୟା ମଧ୍ୟ କୁହାଯାଏ ।

Leave a Reply

Your email address will not be published. Required fields are marked *