Pratidin TV

Odisha's Digital News Platform

ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ; ବନ୍ଧୁ ପାଇଁ ଦିନ ଟିଏ…ରକ୍ତ ସମ୍ପର୍କ ପରି ଗଭୀର ସମ୍ପର୍କ

ବନ୍ଧୁତାରେ ନଥାଏ ଆବିଳତା । ବଳିଦାନ ଯିଏ ଦେଇପାରେ ସେ ହିଁ ବନ୍ଧୁ କହିବାର ଯୋଗ୍ୟ । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ’ ରୂପରେ ପାଳନ କରାଯାଏ ।

ରକ୍ତର ସମ୍ପର୍କଠୁ ଗଭୀର ଏ ସମ୍ପର୍କ । ନିଆରା ଏ ସମ୍ପର୍କ । ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ‘ବନ୍ଧୁତା ଦିବସ’ ଭାବେ ପାଳନ କରାଯାଉଛି । ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର । ବନ୍ଧୁତା ହେଉଛି ପ୍ରେମ, ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା । ବନ୍ଧୁତାରେ ନଥାଏ ଆବିଳତା । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ, ସେ ହେଉଛି ପ୍ରକୃତ ବନ୍ଧୁ ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା ।

ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ବର ମହତ୍ତ୍ବକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ। ଜୀବନରେ ପ୍ରକୃତ ବନ୍ଧୁର ସ୍ଥାନ ସ୍ବତନ୍ତ୍ର। ବନ୍ଧୁତା ସାମାଜିକ ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାରେ ସାହାଯ୍ୟ କରିଥାଏ। ସେହିପରି ପ୍ରକୃତ ବନ୍ଧୁ ହିଁ ସୁଖ, ଦୁଃଖ, ସବୁ ପ୍ରକାର ପରିସ୍ଥିତିରେ ସାଙ୍ଗରେ ଛିଡ଼ା ହୋଇଥାନ୍ତି। ଏହା ହେଉଛି ଏମିତି ଏକ ବନ୍ଧନ, ଯାହାର ପରିଭାଷାକୁ ବର୍ଣ୍ଣନା କରିବା ସହଜ ନୁହେଁ। ଅନ୍ୟପଟେ ପ୍ରକୃତ ବନ୍ଧୁ ହିଁ ସ୍ନେହ, ପ୍ରେମ, ଆବେଗ ଓ ବିଶ୍ବାସର ସହ ସମ୍ପର୍କକୁ ସବୁଦିନ ପାଇଁ ବାନ୍ଧି ରଖିଥାନ୍ତି।

ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାର ଦିନ ପାଳନ ହେଉଥିବା ଫ୍ରେଣ୍ଡସିପ ଡ଼େ’ ଭାରତରେ କିଛି ବର୍ଷ ମଧ୍ୟରେ ହିଁ ବହୁତ ଲୋକପ୍ରିୟ ହୋଇଯାଇଛି । ସୋସିଆଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧାମରେ ପାଳନ ହେଉଛି ଫ୍ରେଣ୍ଡସିପ ଡ଼େ । ଛୋଟ ଠାରୁ ବଡ଼ ଯାଏଁ ସମସ୍ତେ ବନ୍ଧୁତା ଦିବସକୁ ପାଳନ କରୁଛନ୍ତି । ଭାରତ ପୂର୍ବରୁ ଦକ୍ଷିଣ ଆମେରିକାର ଦେଶ ପାରାଗୁୱେରେ ବହୁତ ଜୋରସୋରରେ ଏହି ଦିବସ ପାଳନ ହେଉଥିଲା । ଏଠାରେ ୧୯୫୮ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ପରେ ଏହି ଦିନରେ ବନ୍ଧୁମାନଙ୍କୁ ଗ୍ରିଟିଙ୍ଗସ କାର୍ଡ଼ ଦେବାର ପ୍ରଥା ଆରମ୍ଭ ହେଲା ।

୧୯୫୮ରେ ଏହି ଦିବସ ପାଳନର ପରମ୍ପରା ପ୍ରଥମେ ଆରମ୍ଭ କରାଯାଇଥିଲା। ମାତ୍ର ଜାତିସଂଘ ୨୦୧୧ରେ ଜୁଲାଇ ୩୦କୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବା ନେଇ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ଭିନ୍ନ ଭିନ୍ନ ଦେଶ, ସଂସ୍କୃତି, ଲୋକଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ କରି ଏକତା ଓ ଶାନ୍ତି ପ୍ରତିଷ୍ଠା କରିବା ଏହି ଦିବସର ମୂଳ ଉଦ୍ଦେଶ୍ୟ।

ବନ୍ଧୁତ୍ୱ ଦିବସର ଆରମ୍ଭକୁ ନେଇ ଅନେକ କାହାଣୀ ରହିଛି। କୁହାଯାଏ ଯେ ୧୯୩୫ ମସିହାରେ ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ବନ୍ଧୁତ୍ୱର ଏପରି ଏକ ଉଦାହରଣ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଜୀବନରେ ବନ୍ଧୁମାନଙ୍କ ମହତ୍ତ୍ୱ ବୁଝାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ।

Leave a Reply

Your email address will not be published. Required fields are marked *