ଆଜି T-20 ବିଶ୍ଵକପ ଫାଇନାଲ ଫାଇଟ: ଭାରତ-ଦକ୍ଷିଣ ଆଫ୍ରିକା ହେବେ ମୁହାଁମୁହିଁ
1 min readଆଜି ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍କୁ ପୂରା ବିଶ୍ୱର କ୍ରିକେଟ ପ୍ରେମୀ ଅପେକ୍ଷା କରି ରହିଛନ୍ତି। ଉଭୟ ଟିମ ଏଯାଏ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ। କପ୍ ହାତେଇବାକୁ ହେବ ଜୋରଦାର ଟକ୍କର। ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା। ଶନିବାର ଭାରତୀୟ ସମୟ ରାତି ୮ଟାରେ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ର ଫାଇନାଲ୍ ହେବାକୁ ଯାଉଛି | ବାରବାଡୋସରେ ହେବ ବିଗ୍ ଫାଇଟ୍।
ଭାରତ ୧୦ ବର୍ଷ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଖେଳିବାକୁ ଯାଉଥିବାରୁ କ୍ୟାରିୟର୍ ସାୟାହ୍ନରେ ଥିବା ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଭଲରେ ବିଦାୟ ନେବାର ବଡ଼ ସୁଯୋଗ ମଧ୍ୟ ରହିଛି। ଶେଷ ଥର ପାଇଁ ଭାରତ ୨୦୧୩ରେ ଏକ ଆଇସିସି ଟ୍ରଫି ଜିତିଥିବାରୁ ମଧ୍ୟ ଏକ ଦଶନ୍ଧିର ଟ୍ରଫି ମରୁଡ଼ି ଅନ୍ତ ଘଟାଇବା ଆଶା ରଖିଛନ୍ତି ପ୍ରଶଂସକ। ୨୦୦୭ ପ୍ରଥମ ସଂସ୍କରଣ ବିଜେତା ଭାରତ ତାର ପୂର୍ବ ଐତିହ୍ୟ ପାଇଁ ଲଢେଇ କରିବ। ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ଭାରତ ୧୭ବର୍ଷ ପରେ ଟ୍ରଫି ଜିତିବାକୁ ଉଦ୍ୟମ କରିବ।
ଅନ୍ୟପକ୍ଷରେ ଆଇସିସି ବିଶ୍ଵକପ୍ ପ୍ରତିଯୋଗିତାରେ ପ୍ରଥମଥା ପାଇଁ ଫାଇନାଲରେ ପହଞ୍ଚିଥିବା ଦକ୍ଷିଣ ଅଫ୍ରିକା ଟ୍ରଫି ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲିଂ ଏବଂ ଭାରତ ସ୍ପିନ୍ ବିଭାଗରେ ବେଶ୍ ଶକ୍ତିଶାଳୀ। ସେପଟେ ବାରବାଡୋସରେ ହେବାକୁ ଥିବା ମ୍ୟାଚ୍ ରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଆଜି ବର୍ଷା ହେଲେ ରବିବାର ୩୦ ତାରିଖକୁ ରିଜର୍ଭ ଦିବସ ଭାବେ ରଖାଯାଇଛି। ଯଦି ବର୍ଷା କିମ୍ବା ଅନ୍ୟାନ୍ୟ କାରଣରୁ ଫାଇନାଲ ମ୍ୟାଚ୍ ବିଳମ୍ବ ହୁଏ , ତେବେ ସେହିଦିନ ମ୍ୟାଚ୍ ଶେଷ କରିବା ପାଇଁ ଅତିରିକ୍ତ ୧୯୦ ମିନିଟ୍ ସମୟ ବ୍ୟବହାର କରାଯିବ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୂର୍ବରୁ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟରୁ ଭାରତର ଜିତାପଟ ଅଧିକ ରହିଛି। ମୋଟ୍ ୨୬ ଥର ମୁହାଁମୁହିଁରେ ଭାରତ ୧୪ ଓ ଦକ୍ଷିଣ ଆଫ୍ରିକା ୧୧ ବିଜୟ ପାଇଛି। ସେହିପରି ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସରେ ଏହି ଦୁଇ ଦଳ ପରସ୍ପରକୁ ୬ ଥର ଭେଟିଛନ୍ତି। ଯେଉଁଥିରୁ ଭାରତ ସର୍ବାଧିକ ୪ଥର ବିଜୟୀ ହୋଇଥିଲା। କିନ୍ତୁ ଗତ ୫ ମୁକାବିଲା ମଧ୍ୟରୁ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ଜିତି ଭାରତକୁ ଆହ୍ବାନ ଦେବାକୁ ପ୍ରସ୍ତୁତ ହୋଇଛି।