ସମ୍ପତ୍ତି ଆଶାରେ ଦିବ୍ୟାଙ୍ଗ ଭଉଣୀକୁ ପର କରିଦେଲେ ଦୁଇ ଭାଇ…..
1 min readଭଞ୍ଜନଗର : ସମ୍ପତି ଲୋଭରେ ଲୋକେ ସ୍ନେହ ମମତା ସବୁ କିଛି ଭୁଲି ଯାଉଛନ୍ତି।ଭାଇ ହାତରେ ରାକ୍ଷୀ ବାନ୍ଧିବା ପରେ ପଦିଏ ଟାଣ କଥା ନ କହିବାକୁ ଭଉଣୀକୁ ରାଣ ଦେଇଥାଏ ଭାଇ । ଦୁଃଖ,କଷ୍ଟ ଓ ଯନ୍ତ୍ରଣାଠାରୁ ଭଉଣୀକୁ ଦୂରେଇ ରଖିବାକୁ ଶପଥ ନିଏ ଭାଇ । ଜୀବନ ଥିବା ଯାଏ ତା ହେପାଜତ୍ କରିବ ବୋଲି ପ୍ରଣ ବି ଖାଇଥାଏ ଜଣେ ଭାଇ । ହେଲେ ଆଜି ସେଇ ଭାଇହିଁ ସାଜିଛି ଭଉଣୀ ଆଖିର ଲୁହର କାରଣ । କିଛିଟା ସମ୍ପତ୍ତି ପାଇଁ ଭିନ୍ନକ୍ଷମ ଭଉଣୀକୁ ଘରୁ ବାହାର କରିଦେଇଛି ଭାଇ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରୁ।
ଭଞ୍ଜନଗର ବ୍ଲକ ମୁଦୁଲିପଲ୍ଲି ଗାଁର ସବିତା ସ୍ଵାଇଁ , ବୟସ ପାଖା ପାଖି ୫୦ ଛୁଇଲାଣି । ଜନ୍ମରୁ ଆଖିକୁ ଭଲସେ ଦେଖାଯାଏନି।ଦିବ୍ୟାଙ୍ଗ ବୋଲି ବିବାହ କରି ନାହାନ୍ତି।ଘର ଦ୍ବାର,ଜମି ବାଡ଼ି ଥାଇ ସବୁ ଥାଇ ମଧ୍ୟ ଏବେ ସେ ଦାଣ୍ଡର ଭିକାରୀ ହୋଇ ଯାଇଛନ୍ତି। ସବୁ ଦିନ ଆହାର କେନ୍ଦ୍ରରେ ଖାଉଛନ୍ତି । ବସଷ୍ଟାଣ୍ଡ ବାରଣ୍ଡାରେ ଲୁଗା ପକାଇ ଶୋଉଛନ୍ତ୍ତି। ଘର ଦ୍ବାର,ଜମି ବାଡ଼ି ଥାଇ ସବୁ ଥାଇ ମଧ୍ୟ ଏବେ ସେ ଦାଣ୍ଡର ଭିକାରୀ ହୋଇ ଯାଇଛନ୍ତି। ସବିତାଙ୍କ ଦୁଇ ଭାଇ ପ୍ରଫୁଲ୍ଲ ସ୍ଵାଇଁ ଓ ଜିଲୁ ସ୍ଵାଇଁ ଚାଷଜମିକୁ ଜୋର୍ ଜବରଦସ୍ତ ଛଡାଇନେବା ସହ ଘରୁ ବାହାର କରିଦେଲେ।ଆଜିକୁ ଦୁଇ ମାସ ହେଲା ସେ ଭଞ୍ଜନଗର ଠାରେ ଥିବା ଆହାର କେନ୍ଦ୍ରରେ ଦୁଇ ବେଳା ପାଞ୍ଚ ଟଙ୍କିଆ ଭାତଡାଲେମା ଖାଉଛନ୍ତି।କେତେବେଳେ ମେଡିକାଲ ବାରଣ୍ଡାରେ ତ କେତେବେଳେ ବସଷ୍ଟାଣ୍ଡ ବାରଣ୍ଡାରେ ଶୋଉଛନ୍ତି। ଦିବ୍ୟାଙ୍ଗ ଥିବା ଜାଣି ବାପା ଦଣ୍ଡପାଣି ସ୍ଵାଇଁ ଜୀବିତ ଥିବା ବେଳେ ଝିଅ ସବିତା ନାମରେ ୬୦୦ ଡିସିମିଲି ଜମି ଓ ଘର ଲେଖିଦେଇଥିଲେ କିନ୍ତୁ ଏବେ ସମ୍ପତି ଲୋଭରେ ଦୁଇ ଭାଇ ମିଶି ଭଉଣୀକୁ ଘରୁ ବିଦା କରି ଦେଇଛନ୍ତି।
ନିଜ ହକ୍ ପାଇବା ପାଇଁ ଥାନାଠୁ ଆରମ୍ଭ କରି କୁଳ ସମାଜରେ ଲେଖି ଜଣାଇବା ପରେବି ନ୍ୟାୟ ମିଳୁନଥିବା ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ମହିଳା।ଗଲା ଏକ ମାସ ହେଲା ଏକ ଅଧାଗଢା ଘର ବାରଣ୍ଡାରେ ବସି ରହିଛନ୍ତି।ଲୋକେ ଘଟଣା ପଚାରି ବୁଝିବା ପରେ ଦୁଃଖ ପ୍ରକାଶ କରୁଛନ୍ତି।ଏଭଳି ଏକ ସଭ୍ୟ ସମାଜରେ ଦୁଇ ଭାଇଙ୍କ ହୀନ କାର୍ଯ୍ୟାକୁ ନେଇ ଯିଏ ନାଇ ସିଏ ଛି ଛି କରୁଛନ୍ତି।ସାମାନ୍ୟ କେଇଟା ସମ୍ପତି ପାଇଁ ଭଉଣୀକୁ ପର କରିଦେଇଛନ୍ତି । ବାପାର ସମ୍ପତ୍ତି ରେ ଭାଇର ଯେତିକି ଅଧିକାର ସେତିକି ଭଉଣୀ ର ବି ଅଧିକାର ଅଛି। ଏହି ଘଟଣା ଉପରେ ପ୍ରଶାସନ ହସ୍ତକ୍ଷେପ କରି ଦିବ୍ୟାଙ୍ଗ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।ଅନ୍ୟପଟେ ଏହି ଘଟଣା ବିଷୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏମିତି ଅଭିଯୋଗ ଆସି ନଥିବା କହିଛନ୍ତି।ଯଦି ଅଭିଯୋଗ ଆସେ ତାହେଲେ ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।