ମିଶିଲା ମନ ବୁଝିଲେ ମନକଥା , ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଦିବ୍ୟାଙ୍ଗ
1 min readଭଦ୍ରକ : ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଭିନ୍ନକ୍ଷମ ବରକନ୍ୟା । ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଲେ ସଂକଳ୍ପ । ପରସ୍ପର ସାହାରା ହେବେ ବୋଲି ହେଲେ ପ୍ରତିଶ୍ରୁତିବଦ୍ଧ । ଏହି ବିବାହ ସାଧାରଣ ବିବାହ ପରି ମନେ ହେଉଥିଲେ ହେଁ କିନ୍ତୁ ସାଧାରଣ ନୁହେଁ । ବରବଧୂ ବେଶରେ ବସିଥିବା ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ। ଵ୍ରାହ୍ମଣ ମନ୍ତ୍ର ପାଠ ଚାଲୁଥିବା ବେଳେ ପରସ୍ପର ଠାର ରେ ଠାରେ ଭାବର ଆଦାନ ପ୍ରଦାନ ହେଉଥିଲେ। ପ୍ରକୃତରେ ଦୁଃଖୀ ଲୋକ ହିଁ ବୁଝିପାରେ ଆଉ ଜଣକର ଦୁଃଖକଷ୍ଟ । ସେମିତି ଏହି ଦୁଇଜଣ ବୁଝିପାରିଲେ ନିଜ ନିଜ ଭିତରେ ଥିବା ଆଶା ଓ ଆକାଂକ୍ଷା ।
ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନ ବଙ୍ଗାଳିଦପା ଗାଁର ଦିବ୍ୟାଙ୍ଗ ନବଦମ୍ପତି । ସେମାନଙ୍କ ମନରେ ଭରିଛି ଅସୀମ ଧୈର୍ୟ୍ୟ ଓ ମନୋବଳ । ବୈଦିକ ରୀତିନୀତି ଅନୁଯାୟୀ ଗତକାଲି ରାତିରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ଦୁହେଁ ମୁକ ଓ ବଧିର । ହେଲେ ଠରା ଠରିରେ ଭାବର ଆଦାନ ପ୍ରଦାନ କରି ପାରୁଛନ୍ତି । ଏପରିକି ଉଭୟଙ୍କ ପରିବାର ଲୋକେ ମଧ୍ୟ ଅଭ୍ୟସ୍ତ ହୋଇ ଯାଇଛନ୍ତି । ବଙ୍ଗାଳିଦପା ଗାଁର ଅଜୟ ମଳିକଙ୍କ ଝିଅ ସୋନାଲୀ ମଳିକ, ବୟସ ୨୨ ବର୍ଷ ।
ବାସୁଦେବପୁର ବ୍ଲକ ମିଶ୍ରପୁର ପଞ୍ଚାୟତ ଅଧିନ ହତାଶିଆ ଗାଁର ନିରାକାର ମଳିକଙ୍କ ପୁଅ ତପନ ମଳିକଙ୍କ ସହିତ ବିବାହ ସମ୍ପନ୍ନ ହୋଇଛି । ଏହି ଉତ୍ସବରେ ସମସ୍ତଙ୍କ ମନରେ ଭରି ରହିଥିଲା ଉତ୍ସାହ ଉଦ୍ଦୀପନା । ସମସ୍ତେ ଅପେକ୍ଷା କରିଥିଲେ ହାତଗଣ୍ଠିକୁ । କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହି ପାରୁନାହାଁନ୍ତି । କଥା ସିନା କହି ପାରୁନାହଁନ୍ତି ହେଲେ ବ୍ରାହ୍ମଣର ମନ୍ତ୍ର ପାଠ ଓ ଵିଵାହରେ ବାରିକ ସମସ୍ତଙ୍କ କଥା ବୁଝି ପାରୁଛନ୍ତି । ପରସ୍ପର ବରଣମାଳା ଦେଇ ସାତଜନମ ପାଇଁ ସାଥି ହୋଇଛନ୍ତି । ବନ୍ୟପିତା ନିଜର ସାମର୍ଥ୍ୟ ଅନୁସାରେ ବନ୍ଧୁବାନ୍ଧବ ସମେତ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ । ଶତାଧିକ ଅତିଥିଙ୍କ ଗହଣରେ ନବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏନେଇ ଗ୍ରାମବାସୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି । ନବବଧୂଙ୍କୁ ସାଙ୍ଗରେ ଧରି ନିଜ ଗାଁକୁ ଯାଇଛନ୍ତି ଦିବ୍ୟାଙ୍ଗ ସ୍ୱାମୀ ।