Pratidin TV

Odisha's Digital News Platform

ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ – ଧର୍ମେନ୍ଦ୍ର ପ୍ରଧାନ

ପର ଘର ତିଅଣରେ ଅତିଥି ସତ୍କାର କରିବାରେ ମୁଖ୍ୟମନ୍ତ୍ରୀ ସିଦ୍ଧହସ୍ତ । ନରେନ୍ଦ୍ର ମୋଦୀଙ୍କ ସରକାର ଏସଏଚଜି ଭଉଣୀଙ୍କ ପାଇଁ ବ୍ୟାଙ୍କରୁ ଋଣ ଦେବାର ବ୍ୟବସ୍ଥା କଲେ । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ ଦେବାର ସୁବିଧା କଲେ । କିନ୍ତୁ ଏ ବିଜେଡି ସରକାର ଏସବୁକୁ ନିଜ ଯୋଜନା କହି ମିଛ ପ୍ରଚାର କରୁଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରବିବାର ସମ୍ବଲପୁର ସଂସଦୀୟ କ୍ଷେତ୍ରର ରେଢାଖୋଲ ଏବଂ ଆଠମଲ୍ଲିକରେ ବିଜୟ ସଂକଳ୍ପ ସମାବେଶରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩ କୋଟି ୨୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ଏହି ଯୋଜନାରେ ମୋଦୀ ଲୋକମାନଙ୍କୁ ମାଗଣାରେ ଜଣକ ପିଛା ୫ କେଜି ଚାଉଳ ଦେଲେ । କିନ୍ତୁ ନବୀନ ସରକାର ମୁଣି ଦେଇ ଚାଉଳ ନିଜେ ଦେବାର ମିଛ ପ୍ରଚାର କଲେ । ସେହିପରି ଏସଏଚଜି ମୋଦୀ ସରକାରଙ୍କ କାର୍ଯ୍ୟକ୍ରମ । ଏସଏଚଜି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଭାରତ ସରକାରଙ୍କ ବ୍ୟାଙ୍କରୁ ଋଣ ଦେବାର ଦାୟିତ୍ୱ ମୋଦୀ ନେଇଛନ୍ତି । ମୋଦି ସରକାର ଏସଏଚଜି ଭଉଣୀଙ୍କୁ ୧୧ ପ୍ରତିଶତ ସୁଧରେ ଦେଉଥିବା ଋଣର ୭ ପ୍ରତିଶତ ପରିଶୋଧ କରୁଛନ୍ତି । କିନ୍ତୁ ସ୍ୱଳ୍ପ କିଛି ଋଣ ପରିଶୋଧ କରି ନବୀନ ସରକାର ଏସଏଚଜିକୁ ଋଣ ଦେବାର ଶ୍ରେୟ ନେଉଛନ୍ତି । ସତ କଣ ଲୋକମାନେ ବୁଝିଲେଣି ।

ଦୀର୍ଘ ୨୫ ବର୍ଷ ଧରି ଯେଉଁମାନେ ଓଡ଼ିଶାବାସୀଙ୍କ ସହ ପ୍ରତାରଣା କଲେ ସେମାନଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ଲୋକମାନେ ମନ ବନାଇସାରିଛନ୍ତି । ୨୪ ବର୍ଷର ସ୍ଥିର ସରକାର ରହିବା ପରେ ମଧ୍ୟ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଯେଉଁଭଳି ସ୍ଥିତିରେ ରହିବା କଥା, ସେଭଳି ସ୍ଥିତିରେ ନାହିଁ । ଜଳ ଜୀବନ ମିଶନରେ ମୋଦୀ ସରକାର ୧୦ ହଜାର କୋଟି ଦେବା ପରେ ବି ଘରେ ଘରେ ପିଇବା ପାଣି ପହଞ୍ଚିପାରିଲା ନାହିଁ । ଆଠମଲ୍ଲିକ ଓ ରେଢାଖୋଲରେ ପାନୀୟ ଜଳ, ଜଳସେଚନ, ଶୀତଳଭଣ୍ଡାର, ଶିକ୍ଷା, ସ୍ୱାସ୍ଥ୍ୟର ସ୍ଥିତି କଣ ? ଲୋକମାନେ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ଏହା ଉପରେ ପ୍ରଶ୍ନ କଲେ ବିଜେପି ଅଶାଳୀନ ଶବ୍ଦ ବ୍ୟବହାର କରାଯିବା କଥା କୁହାଯାଉଛି । ଆଦିବାସୀଙ୍କ ଜମିକୁ ବିକ୍ରି କରିବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତି ନେଇଥିବା ଲୋକମାନେ ହିଁ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଯିଏ ଆଦିବାସୀଙ୍କ ଜମିକୁ ବିକିବାର ନିଷ୍ପତ୍ତି କ୍ୟାବିନେଟ୍‌ରେ ନିଏ, ସେ ଆଦିବାସୀଙ୍କର କେବେ ହୋଇପାରିବ ନାହିଁ । ୨୫ ବର୍ଷର ଅପରାଗ, ଦୁର୍ନୀତିଗ୍ରସ୍ତ, ଲୁଟେରା ସରକାରକୁ ବଦଳାଇବା ପାଇଁ ଲୋକେ ନିଷ୍ପତ୍ତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ନିଜେ ଓଡ଼ିଶାର ଜନସାଧାରଣଙ୍କୁ ବିଜେପିକୁ ୫ ବର୍ଷ ସେବା କରିବା ପାଇଁ ସୁଯୋଗ ଦେବାକୁ ନିବେଦନ କରିଛନ୍ତି । ବିଜେପି ସରକାର ହେଲେ ଓଡ଼ିଶାରେ ‘ମୁକ୍ତ ବିଜୁଳି ଯୋଜନା’ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ମାଧ୍ୟମରେ ଓଡ଼ିଶାର ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ମାଗଣାରେ ବିଜୁଳି ଯୋଗାଯିବ। ରାଜ୍ୟରେ ବିଜେପି ସରକାର ହେଲେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ । ଦାଦନ ଯନ୍ତ୍ରଣାରୁ ମୁକ୍ତି ଦିଆଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । କେନ୍ଦୁପତ୍ର ବିଡା ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ରାଜ୍ୟରେ ମୋଦୀ ସରକାରଙ୍କ ଏସଏଚଜି ସମୂହକୁ ନେଇ ୨୫ ଲକ୍ଷ ଲକ୍ଷପତି ଦିଦି ତିଆରି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଦେଶରେ ଏକ ସଶକ୍ତ ଓ ଦୃଢ ସରକାର ସହ ସବୁ ବର୍ଗର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ଦେଶବାସୀ ନିର୍ଣ୍ଣୟ କରିସାରିଛନ୍ତି । ସମ୍ବଲପୁର ଦଶ ହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ । ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ରହିଛି । ସମ୍ବଲପୁରକୁ ଦେଶର ଆଗୁଆ ଅଞ୍ଚଳ ଭାବରେ ଗଢି ତୋଳିବା ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ସମ୍ଭବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ ରେଢାଖୋଲ ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ । ଓଡ଼ିଶାରେ ମୋଦୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଦଳୀୟ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବା ପାଇଁ ସେ ସମବେତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *