ସବ୍-କଲେକ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍ , ପଡୋଶୀଙ୍କ ଛାତକୁ ଫିଙ୍ଗୁଥିଲେ ପେଟି ପେଟି ଟଙ୍କା …
1 min readଭୁବନେଶ୍ୱର : ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ନବରଙ୍ଗପୁର ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ପସିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ସକାଳୁ ପ୍ରଶାନ୍ତଙ୍କ ଘର ସମେତ ୯ଟି ସ୍ଥାନରେ ଚାଲିଛି ଚଢାଉ ।
ମିଳିଥିବା ସୂଚନା ଅନୁଯାୟୀ ପ୍ରଶାନ୍ତଙ୍କ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ , ଭଦ୍ରକ ସ୍ଥିତ ପୈତୃକ ଘର, ଭୁବନେଶ୍ୱର ସ୍ଥିତ କାନନ ବିହାର ଘରେ ବର୍ତ୍ତମାନ ଚାଲିଛି ରେଡ୍ । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି। ତେବେ ଟିମ୍ ଭୁବନେଶ୍ୱର କାନନ ବିହାର ଘରେ ରେଡ୍ ମାରିଥିବା ବେଳେ ସାମ୍ନାକୁ ଆସିଥିଲା ଅବାକ୍ କଲା ଭଳି ସତ । ରେଡ୍ ସମୟରେ ଘର ଛାତ ଉପରୁ କିଛି ଶବ୍ଧ ଶୁଣିଥିଲେ ଭିଜିଲାନ୍ସ ଟିମ୍ । ଏହାପରେ ଛାତ ଉପରକୁ ଯିବା ପରେ ସାମ୍ନାକୁ ଆସିଥିଲା ପ୍ରଶାନ୍ତଙ୍କ କଳାକାରନାମାର ଗୁମର । ନିଜ ଘର ଛାତରୁ ପେଟି ପେଟି ଟଙ୍କା ପଡୋଶୀଙ୍କ ଛାତକୁ ଫିଙ୍ଗିଦେଇଥିଲେ ସେ । ପରେ ଭିଜିଲାନ୍ସ ପଡୋଶୀଙ୍କ ଘର ସର୍ଚ୍ଚ କରିବାରୁ ସେସବୁ ଟଙ୍କା ଜବତ୍ କରିଛି । ତେବେ ପଡୋଶୀଙ୍କ ଘରୁ ଗୋଟିଏ ବ୍ରିଫ କେସ ଓ ୬ଟି ପେଟିରୁ ବିପୁଳ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ପେଟି ଗୁଡିକରେ ୫୦୦ ଟଙ୍କାର ବିଡା ବିଡା ନୋଟ୍ ଭର୍ତ୍ତି ହୋଇ ରହିଛି ।
ସୂଚନାଯୋଗ୍ୟ, ପ୍ରଶାନ୍ତ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ କୌଣସି କାମ ପାଇଁ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।