Pratidin TV

Odisha's Digital News Platform

ଆଜିର ଦିନରେ ପାକିସ୍ତାନକୁ ବଡ ଯୁଦ୍ଧରେ ହରାଇଥିଲା ଭାରତ, ହେଲେ କାହା ପାଇଁ ଭାରତ ନେଇଥିଲା ଏହି ପ୍ରତିଶୋଧ..

1 min read

ଭାରତ ଇତିହାସରେ କିଛି ଦିବସ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ତାଭିତରୁ ଗୋଟେ ହେଉଛି ‘ବିଜୟ ଦିବସ’ । ମସିହା ଥିଲା ୧୯୭୧ ,ମାସ ଥିଲା ଡିସେମ୍ବର ଆଉ ତାରିଖ ଥିଲା ୧୬ । ଯାହା ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି । ଯାହାକୁ ବର୍ତ୍ତମାନର ଭାରତ ‘ବିଜୟ ଦିବସ’ ଭାବେ ପାଳନ କରୁଛି । ୧୯୭୧ ବାଂଲାଦେଶ ମୁକ୍ତି ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ସ୍ମରଣ କରିବା ପାଇଁ ଆଜି ସାରା ଦେଶରେ ବିଜୟ ଦିବସ ପାଳନ କରାଯାଉଛି । ଏହି ଯୁଦ୍ଧ ଭାରତ ପାଇଁ ଥିଲା ଐତିହାସିକ । କେବଳ ଭାରତ ପାଇଁ ନୁହେଁ ବାଂଲାଦେଶ ପାଇଁ ମଧ୍ୟ ଐତିହାସିକ ଥିଲା । କାରଣ ଏହି ଯୁଦ୍ଧର ଫଳାଫଳରେ ଗଠନ ହୋଇଥିଲା ବାଂଲାଦେଶ । ଯୁଦ୍ଧରେ ଭାରତୀୟ ସୈନିକଙ୍କ ବୀରତା, ଅଦମ୍ୟ ସାହସିକତାକୁ ବର୍ତ୍ତମାନ ଯାଏଁ ମଧ୍ୟ ମନେ ରଖିଛନ୍ତି ଦେଶବାସୀ ।ପୂର୍ବ ପାକିସ୍ତାନ ଯାହାର ବର୍ତ୍ତମାନର ନାଁ ବାଂଲାଦେଶ । ପୂର୍ବ ପାକିସ୍ତାନର ଭାଷା ଓ ସଂସ୍କୃତିକୁ ବିରୋଧ କରୁଥିଲା ପାକିସ୍ତାନ ଆଉ ତାଙ୍କ ଉପରେ କରୁଥିଲା ଅତ୍ୟାଚାର । ହେଲେ ଏହି ଅତ୍ୟାଚାର ବିରୋଧରେ ସ୍ୱର ଉଠାଇଥିଲେ ପୂର୍ବ ପାକିସ୍ତାନୀ ।

୧୯୭୧ ମସିହାରେ ପୂର୍ବ ପାକିସ୍ତାନର ଲୋକଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲା ପାକିସ୍ତାନ ସେନା ।ଫଳରେ ପୂର୍ବ ପାକିସ୍ତାନରେ ଆରମ୍ଭ ହୋଇଥିଲା ନରସଂହାର । ଆଉ ଭୟରେ ଲୋକମାନେ ପୂର୍ବ ପାକିସ୍ତାନ ସୀମାକୁ ଲାଗିଥିବା ଭାରତୀୟ ରାଜ୍ୟ ଗୁଡିକୁ ଚାଲିଆସିଥିଲେ । ପ୍ରାୟ ୧୦ ଲକ୍ଷ ଶରଣାର୍ଥୀ ଭାରତ ଭିତରକୁ ଚାଲି ଆସିଥିବା ଖବର ପାଇଥିଲା ଭାରତ । ଏହି ଖବର ପାଇବା ପରେ ଭାରତୀୟ ସେନାଙ୍କୁ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ । ଏହାସହ ଅନ୍ତରଷ୍ଟ୍ରୀୟ ସ୍ତରରେ ମଧ୍ୟ ପାକିସ୍ତାନ ଉପରେ ଚା ପକାଇଥିଲା ଭାରତ । ପାକିସ୍ତାନର ପୂର୍ବ ପାକିସ୍ତାନ ଉପରେ ଏଭଳି ଆକ୍ରମଣ ଯୋଗୁଁ ଭାରତର କେତେକ ରାଜ୍ୟରେ ଶାନ୍ତି ଭଙ୍ଗ ହେଉଥିଲା । ଧିରେ ଧିରେ ପୂର୍ବ ପାକିସ୍ତାନରେ ସ୍ଥିତି ଅତି ଗମ୍ଭୀର ହେବାର ଲାଗିଥିଲା । ପୋଲିସ, ପାରାମିଲିଟୀରୀ ଫୋର୍ସ, ଇଷ୍ଟ ବଙ୍ଗାଲ ରେଜିମେଣ୍ଟର ସୈନିକ ମାନେ ପୂର୍ବ ପାକିସ୍ତାନକୁ ସ୍ୱାଧୀନ ଘୋଷଣା କରି ପାକିସ୍ତାନ ବିପକ୍ଷରେ ଯୁଦ୍ଧ ଆରମ୍ଭ କରିଥିଲେ । ଏଥିରେ ଭାରତ ମଧ୍ୟ ସାହାଯ୍ୟ କରିଥିଲା । ଆଉ ସେଠାକାର ଲୋକଙ୍କୁ ସେନାର ଟ୍ରେନିଂ ମଧ୍ୟ ଦେଇଥିଲା । ଯାହା ଫଳରେ ସେଠାରେ ମୁକ୍ତି ବାହିନୀ ସେନା ଜନ୍ମ ନେଇଥିଲା ।ଏହାର ପ୍ରତିଶୋଧ ନେବା ପାଇଁ ପାକିସ୍ତାନର କେତେକ ବିମାନ ୩ ଡିସେମ୍ବର ୧୯୭୧ରେ ଭାରତର କିଛି ସ୍ଥାନରେ ଆକ୍ରମଣ କରିଥିଲା । ଯାହା ଫଳରେ ଭାରତ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା ଯୁଦ୍ଧ । ଏହାପରେ ଭାରତ ଅପରେସନ ଟ୍ରାଇଡେଣ୍ଡ ଆରମ୍ଭ କରିଥିଲା ।

Advertisement

ଏହାଦ୍ୱାରା ୫ ଡିସେମ୍ବର ୧୯୭୧ରେ ଭାରତୀୟ ନୌସେନା କରାଚୀରେ ଥିବା ପାକିସ୍ତାନୀ ନାଭି ହେକ୍ୱାଟରକୁ ବୋମା ମାଡ କରିଥିଲେ । ଏହାପରେ ଭାରତ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିଲା ଘମାଘୋଟ ଯୁଦ୍ଧ । ପରେ ପାକିସ୍ତାନୀ ସେନାଙ୍କୁ ନିଜ କବଜାରେ ଆଣିଥିଲା ଭାରତ । ଶେଷରେ ଆତ୍ମସମର୍ପଣ କରିବାକୁ ପାକିସ୍ତାନ ସେନା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ ତତ୍କାଳୀନ ଭାରତୀୟ ସେନା ମୁଖ୍ୟ ମାଣିକସା ।ଏହାପରେ ପାକିସ୍ତାନର ୯୩ ହଜାର ସୈନିକ ଭାରତୀୟ ସେନାଙ୍କ ପାଖରେ ଆତ୍ମସମର୍ପଣ କରିଥିଲେ । ଏହି ଯୁଦ୍ଧରେ ପ୍ରାୟ ୩ ହଜାର ୯୦୦ ସୈନିକ ସହିଦ ହୋଇଥିଲେ । ଏହାସହ ୯ ହଜାର ୮୫୧ ଜଣ ସୈନିକ ଆହତ ହୋଇଥିଲେ । ଯୁଦ୍ଧରେ ବିଜୟୀ ହେବା ପରେ ପୂର୍ବ ପାକିସ୍ତାନକୁ ବାଂଲାଦେଶ ଭାବେ ଗଠନ କରାଯାଇଥିଲା । ପାକିସ୍ତାନ ଉପରେ ଭାରତର ଏହି ଐତିହାସିକ ଯୁଦ୍ଧକୁ ବିଜୟ ଦିବସ ଭାବେ ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *