Pratidin TV

Odisha's Digital News Platform

ସୁଭଦ୍ରା ଯୋଜନା ପାଇଁ ଅଙ୍ଗନୱାଡିରେ ଉତ୍ତେଜନା , ତାଲା ଝୁଲାଇଲେ ଗ୍ରାମବାସୀ ।

1 min read

ବାଲେଶ୍ଵର ; ସୁଭଦ୍ରା ଯୋଜନା ଆବେଦନ ନକରି ଫେରିଲେ ଲୋକେ। ଆବେଦନ କେଉଁଠି ହେବ ଏ ସମ୍ପର୍କରେ ଅଙ୍ଗନୱାଡି କର୍ମୀ ଜଣାଇନଥିବା ଅଭିଯୋଗ ହୋଇଛି । ଅଙ୍ଗନୱାଡିରେ ଉତ୍ତେଜନା ଦେଖାଦେଲା ପରେ ତାଲା ଝୁଲାଇଲେ ଗ୍ରାମବାସୀ । ତେବେ ବାଲେଶ୍ୱର ରେମୁଣାରୁ ଏଭଳି ଖବର ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ବାଲେଶ୍ଵର ରେମୁଣା ବ୍ଲକ ଭିମପୁରା ପଞ୍ଚାୟତ କାଳିଦାସପୁରରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ ଆଜି ଉତ୍ୟକ୍ତ ଲୋକ ତାଲା ପକାଇଛନ୍ତି। ସ୍ଥାନୀୟ ଅଙ୍ଗନୱାଡି କର୍ମୀ ସୁଭଦ୍ରା ଯୋଜନାର ଫର୍ମ ଲୋକଙ୍କୁ ଦେଇଛନ୍ତି। ହେଲେ ଆବେଦନ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରି ନଥିଲେ। କିଛି ଗ୍ରାମବାସୀ ଗତକାଲି ବାଲେଶ୍ଵର ସହରର ଏକ ଜନସେବା କେନ୍ଦ୍ରରେ ସକାଳଠାରୁ ରାତି ୧୨ ଟା ପର୍ଯ୍ୟନ୍ତ ଅପେକ୍ଷା କରି ମଧ୍ୟ ସୁଭଦ୍ରା ଯୋଜନା ଅନଲାଇନ ଆବେଦନ କରି ପାରି ନଥିଲେ। ପରେ ପଞ୍ଚାୟତର ଏକ ନିର୍ଦ୍ଦିଷ୍ଟ ଲୋକଙ୍କ ଘରେ ଜନସେବା କେନ୍ଦ୍ର ଖୋଲିଥିବା ନେଇ ଜାଣିବାକୁ ପାଇଥିଲେ। ଅଙ୍ଗନୱାଡି କର୍ମୀ ଏକଥା ସେମାନଙ୍କୁ ଜଣାଇନଥିଲେ। ଗ୍ରାମବାସୀ ଆଜି ଅଙ୍ଗନୱାଡି କେନ୍ଦ୍ର ଯାଇ ଅଙ୍ଗନୱାଡି କର୍ମୀଙ୍କୁ ଏକଥା ପଚାରିବା ପରେ ଉତ୍ତେଜନା ଦେଖାଯାଇଥିଲା।

Advertisement

କଥା ଏତିକିରେ ଅଟକି ନଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ପରି ଅଙ୍ଗନୱାଡି କର୍ମୀ ଵିରୋଧରେ ଗୋଟେ ପରେ ଗୋଟେ ଅଭିଯୋଗ ଆଣିଥିଲେ ଗ୍ରାମବାସୀ। ଅଙ୍ଗନୱାଡି କର୍ମୀ ବିଦ୍ୟାଳୟକୁ ଆସୁ ନଥିବା ସହ ନିମ୍ନମାନର ଖାଦ୍ୟ ଦେଉଥିବା ସେମାନେ ଅଭିଯୋଗ କରିଥିଲେ। ଅଙ୍ଗନୱାଡି ବିଦ୍ୟାଳୟ ଏକ କ୍ଲବ ଘରେ ଦିର୍ଘ ୧୨ ବର୍ଷ ଧରି ଚାଲିଥିବା ବେଳେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଛାତରୁ କଂକ୍ରିଟ ଖସୁଛି। ଭୟରେ ଅଭିଭାବକ ଆଉ ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟ ଛାଡୁ ନାହାନ୍ତି। ୩ ମାସ ସମୟ କହି ଅଙ୍ଗନୱାଡି ବିଦ୍ୟାଳୟ ପାଇଁ ଏହି କ୍ଲବ ଘରକୁ ନିଆଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଅଙ୍ଗନୱାଡି ବିଦ୍ୟାଳୟ ନିର୍ମାଣ ହୋଇନାହିଁ। ଅଙ୍ଗନୱାଡିକୁ ଛାତ୍ର ଛାତ୍ରୀ ଆସିବା ବନ୍ଦ କରି ଦେଇଥିବାରୁ ଏହା ରହି ଲାଭ କଣ ବୋଲି ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ ଉଠାଇବା ସହ ବିଦ୍ୟାଳୟରେ ତାଲା ପକାଇଛନ୍ତି।

ଗତକାଲି ଏହି ଅଙ୍ଗନୱାଡି ବିଦ୍ୟାଳୟ ପରିଦର୍ଶନ କରିଥିଲେ ସିଡିପିଓ। ଅଙ୍ଗନୱାଡି କର୍ମୀ ସୁଭଦ୍ରା ଯୋଜନା ଫର୍ମ ବାଣ୍ଟୁଥିବା ସହ ଅଙ୍ଗନୱାଡି ଘରର ସ୍ଥିତି ମଧ୍ୟ ଦେଖିଥିଲେ। ଛାତରୁ କଂକ୍ରିଟ ଖସୁଥିବା କଥା ମଧ୍ୟ ସେ ଜାଣିଥିଲେ। ହେଲେ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପଡିବା କଥା ଜାଣି ନାହାନ୍ତି। ନୂତନ ଅଙ୍ଗନୱାଡି ନିର୍ମାଣ ନେଇ ପଞ୍ଚାୟତ ସମିତିରେ ଟଙ୍କା ରହିଛି ହେଲେ ଜାଗା ନଥିବାରୁ ଅଙ୍ଗନୱାଡି ନିର୍ମାଣ ହୋଇ ନଥିବା ସେ କହିଛନ୍ତି। ଅଙ୍ଗନୱାଡିର ପିଲା ସଂଖ୍ୟା କେତେ? କେତେ ଜଣଙ୍କ ପାଇଁ ରୋଷେଇ ହୁଏ? ନିମ୍ନମାନର ଖାଦ୍ୟ ଦେଇ କେତେ ଟଙ୍କା ରୋଜଗାର କରିଛନ୍ତି ଅଙ୍ଗନୱାଡି କର୍ମୀ? ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି? କାହିଁକି ତଦନ୍ତ ହେଉନାହି? ତାଲା ପଡିଥିବା ଅଙ୍ଗନୱାଡି କେବେ ଖୋଲିବ? ନୂତନ ଅଙ୍ଗନୱାଡି କେବେ ନିର୍ମାଣ ହେବ? ଏହି ଘଟଣା ପରେ ଏଭଳି ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *