ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧ ଅସ୍ତ୍ର , କେଉଁ ରାଜା ରଖିଥିଲେ ରତ୍ନଭଣ୍ଡାରରେ ଏଭଳି ଜିନିଷ ?
1 min readଶ୍ରୀ ମନ୍ଦିରର ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧ ଅସ୍ତ୍ର । ରାଜା ରାଜୁଡା ଅମଳର ଏହି ଯୁଦ୍ଧାସ୍ତ୍ର ବୋଲି ଜଣାପଡିଛି । ଏହି ସାମଗ୍ରୀ ଏକ ଧାତୁରୁ ତିଆରି କିନ୍ତୁ ସାମଗ୍ରୀ କଳା ପଡିଯାଇଥିବାରୁ କେଉଁ ଧାତୁର ତାହା ସ୍ପଷ୍ଟ ହୋଇନି ।
ଗୁରୁବାର ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇଛି। ଖଟଶେଯ ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ କରାଯାଇ ଭିତର ରତ୍ନଭଣ୍ଡାରର ସମସ୍ତ ଅଳଙ୍କାର ସେଠାକୁ ସ୍ଥାନାନ୍ତର କରାଯାଇଛି। ସଂପୂର୍ଣ୍ଣ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସାଢ଼େ ୭ ଘଣ୍ଟା ଲାଗିଲା ଥିଲା। ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସମେତ ୧୧ ଜଣ ଟିମ୍ ସକାଳ ୯ଟା ୫୧ରେ ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ ଓ ଅପରାହ୍ନ ୫ଟା ୧୫ ସୁଦ୍ଧା ସ୍ଥାନାନ୍ତରଣ କାର୍ୟ୍ୟ ସଂପୂର୍ଣ୍ଣ ହୋଇଥିଲା।
ଭିତର ରତ୍ନଭଣ୍ଡାରରେ ମୋଟ ୩ଟି ସିନ୍ଦୁକ ଓ ୪ଟି ଆଲମାରୀ ଥିଲା। ୪ଟି ଆଲମିରା ମଧ୍ୟରୁ ୩ଟି କାଠର ଓ ଗୋଟିଏ ଷ୍ଟିଲର। ସେହିଭଳି ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଥିଲା। ସମସ୍ତ ଆଲମିରା ଓ ସିନ୍ଦୁକ ତାଲା ଖୋଲି ଅଳଙ୍କାର ସ୍ଥାନାନ୍ତର କରାଯାଇଛି। କିଛି ଆଲମିରା ଓ ସିନ୍ଦୁକରେ ତାଲା ପଡ଼ିଥିଲା। ସେଗୁଡ଼କର ଚାବି କାହା ପାଖରେ ନଥିଲା। ତେଣୁ ତାଲା ଭାଙ୍ଗି ଦିଆଯାଇଥିଲା। ଯେଉଁ ସିନ୍ଦୁକ ଓ ଆଲମିରାରେ ଯେମିତି ଯାହା ଥିଲା, ସେମିତି ସେହି କ୍ରମରେ ନୂଆ ଆଲମିରାରେ ରଖାଯାଇଥିଲା। ତେବେ ଆଜି ଏଗୁଡିକ ପୁନ ଖୋଲା ହେବାପରେ ସେଥିରୁ ଅନେକ ଯୁର୍ଦ୍ଧ ଅସ୍ତ୍ର ବାହାରିଛି । ସେଗୁଡିକ ଭିତରୁ କିଛି ବର୍ଚ୍ଛା କୁ ଚିହ୍ନଟ କରାଯାଇଛି । କିନ୍ତୁ ସେଗୁଡିକ ବହୁ ପୁରାତନ ଯୋଗୁ କଳଙ୍କି ଲାଗିଯାଇଛି । ଆଉ ଟିମ୍ ଏହାକୁ ଯାଞ୍ଚ କରିବା ପରେ ହିଁ ଏହା କେଉଁ ରାଜା ରାଜୁଡାଙ୍କ ଅମଳର ତାହା ଜଣାପଡିବ ।