Pratidin TV

Odisha's Digital News Platform

ଦୁଲୁକୁଛି ପଶ୍ଚିମ ଓଡିଶା; କାରଣ ଆଜି ହେଉଛି ନୂଆଁଖାଇ ଜୁହାର

ଭୁବନେଶ୍ୱର : ଆଜି ନୂଆଁଖାଇ । ଏହା ପଶ୍ଚିମ ଓଡିଶାର କୃଷିଭିତ୍ତି ରଜା ତଥା ଗଣପର୍ବ ଅଟେ । ଏଥିପାଇଁ ଚଳଚଞ୍ଚଳ ସାରା ପଶ୍ଚିମ ଓଡ଼ିଶା । ନିଜର ନୂଆ ଫସଲକୁ ଇଷ୍ଟ ଦେବଦେବୀଙ୍କୁ ଅର୍ପଣ କରିବେ ଚାଷୀ । ଉତ୍ସବ ମୁଖର ପଶ୍ଚିମ ଓଡ଼ିଶାର ଗାଁଠୁ ସହର । ଘରେ ଘରେ ପ୍ରସ୍ତୁତି ଜୋରସୋର । ପିଠାପଣାର ମହକରେ ମହକୁଛି ଘର । ତିଆରି ଚାଲିଛି ଭଳିକି ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ । ଘରେ ବନ୍ଧୁ ବାନ୍ଧବଙ୍କ ଭିଡ଼ । ଦୂରଦୂରାନ୍ତରେ ରହୁଥିବା ପରିବାର ଓ ଆତ୍ମୀୟ ଘରକୁ ଫେରିଛନ୍ତି । ଆଜି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ପୂର୍ବାହ୍ନ ୧୦ଟା ୨୭ ମିନିଟ୍‌ରୁ ୧୦ଟା ୪୨ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ । ଏହାପରେ ଘରେ ଘରେ ଲୋକେ ନୂଆ ଖାଇବେ । ନୂଆଁଖାଇ ପାଇଁ ଘରେ ଲିପା ପୋଛା ସାଙ୍ଗକୁ ରଙ୍ଗ ଲଗାଯାଇଛି । ପୁରା ପରିବାର ପାଇଁ ନୂଆ ଡ୍ରେସ୍ କିଣାଯାଇଛି । ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ, ଘରକୁ ଆସିଗଲେଣି । ସମସ୍ତେ ମିଶି ଏକାଠି ନୂଆ ଖାଇବା ପରେ ଆରମ୍ଭ ହେବ ଭେଟଘାଟ କାର୍ଯ୍ୟକ୍ରମ । ଘରର ବଡମାନଙ୍କୁ ଜୁହାର କରି ମୁଣ୍ଡିଆ ମାରି ଆଶୀର୍ବାଦ ନେବେ ସମସ୍ତେ । ଅନ୍ୟପଟେ ନୂଆଖାଇ ପାଇଁ ଚାଲିଛି ନାଚଗୀତର ପ୍ରସ୍ତୁତି । ପଶ୍ଚିମ ଓଡିଶାର ଡାଲଖାଇ, ରସରକେଳି, ମାଇଲାଜଡ଼, ଚୁଟୁକୁଚୁଟାରେ ଦୁଲୁକୁଛି ଗାଁ ଦାଣ୍ଡ ।

ବିଶେଷ କରି ଏହା ଏକ କୃଷିଭିତ୍ତିକ ପର୍ବ । ପଶ୍ଚିମ ଓଡ଼ିଶା ବାସୀଙ୍କର ମୁଖ୍ୟଜୀବିକା ହେଉଛି କୃଷି । କୃଷିଜାତ ଅନ୍ନର ମହତ୍ତ୍ୱକୁ ନେଇ କେଉଁ ଆବହମାନ କାଳରୁ ଏହି ନୂଆଖାଇ ପର୍ବ ପାଳିତ ହୋଇଆସୁଛି । ଓଡ଼ିଶାର ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ବଉଦ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଏବଂ ଛତିଶଗଡ ରାଜ୍ୟର ଦେଓଭୋଗ ସମେତ କେତେକ ଅଂଚଳରେ ଏହି ବର୍ଷ ପ୍ରାରମ୍ଭରେ ଉତ୍ପାଦିତ ଶସ୍ୟର ଅନ୍ନକୁ ବିଶେଷ କରି ବର୍ଷର ଅମଳ ପ୍ରାରମ୍ଭରୁ ଉତ୍ପାଦିତ ହେଉଥିବା ଧାନରୁ ଯେଉଁ ଅନ୍ନ ବାହାରେ ସେହି ଅନ୍ନକୁ ନିଜ ଇଷ୍ଟ ଦେବଦେବୀଙ୍କ ଅର୍ପଣକରି ସେହି ପ୍ରସାଦ ନିଜେ ଗ୍ରହଣ କରିବା ସଙ୍ଗେସଙ୍ଗେ ଅନ୍ୟମାନଙ୍କୁ ପଂକ୍ତି ଭୋଜନରେ ଆପ୍ୟାୟିତ କରିବାର ଧାରା ହେଉଛି ନୂଆଖାଇ ପର୍ବ ।

ଯେଉଁମାନେ ନିଜ ଭିଟାମାଟିକୁ ଆସି ନ ପାରନ୍ତି, ସେମାନେ ନିଜେ ରହୁଥିବା ଜାଗାରେ ନୂଆଁଖାଇ ପାଳନ କରିଥାନ୍ତି । ବିଶେଷକରି ଗୁଜରାଟର ସୁରତ, ଛତିଶଗଡ଼ର ରାୟପୁର, ବିଶାଖାପାଟଣା, ଚେନ୍ନାଇ, ମୁମ୍ବାଇ ଓ ଦିଲ୍ଲୀ ଆଦି ସହରରେ ମଧ୍ୟ ଏହା ପାଳନ କରାଯାଇଥାଏ ।

Leave a Reply

Your email address will not be published. Required fields are marked *