Pratidin TV

Odisha's Digital News Platform

କାହିଁକି ପାଳନ କରାଯାଏ କାର୍ତ୍ତିକ ପୂର୍ଣ୍ଣିମା?ଏହା ପଛରେ କଣ ରହିଛି ରହସ୍ୟ..

1 min read

ଓଡ଼ିଆ ଧର୍ମଧାରା ଓ ସଂସ୍କୃତିରେ କାର୍ତ୍ତିକ ପୂର୍ଣ୍ଣିମା ବେଶ୍ ଗୁରୁତ୍ୱ ବହନ କରେ। ଧର୍ମର ମାସ କାର୍ତ୍ତିକର ଶେଷ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା । କାର୍ତ୍ତିକ ପୂର୍ଣ୍ଣିମାକୁ ରାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ । କାର୍ତ୍ତିକ ମାସ ସାରା ଦେବଦେବୀଙ୍କ ନିକଟରେ ପୂଜା ଉପାସନା କରାଯାଇଥାଏ। ଏହାଦ୍ବାରା ଅକାଳ ମୃତ୍ୟୁ ହୋଇ ନ ଥାଏ ବୋଲି ବିଶ୍ବାସ ରହିଛି। ଶୁକ୍ଳ ଏକାଦଶୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସ ଯାତ୍ରା ଆରମ୍ଭ ହୋଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ରାସ ଉତ୍ସବ ଉଦ୍‌ଯାପନ ହୋଇଥାଏ। ବଡ଼ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ପଡ଼େ ଭୀଷ୍ମ ପଞ୍ଚକ। ଏହାର ଅନ୍ୟ ନାମ ବକ ପଞ୍ଚକ।

କୁହାଯାଏ ଯେ, ପଞ୍ଚକ ପାଞ୍ଚ ଦିନ ଯାକ ବଗ ମଧ୍ୟ ମାଛ ଖାଇ ନ ଥାଏ। ଚତୁର୍ମାସ୍ୟ ବ୍ରତ ସମାପ୍ତ ହେଉଥିବା ଯୋଗୁଁ ଏହାକୁ ଚତୁର୍ମାସ୍ୟ ପଞ୍ଚକ ବୋଲି ମଧ୍ୟ କୁହାଯାଇଥାଏ। ଚତୁର୍ଦ୍ଦଶୀ ଦିନ ଶିବ ଉତ୍‌ଥାନ ଯାତ୍ରା ଓ ବଡ଼ ଓଷା ଅନୁଷ୍ଠିତ ହୋଇଥାଏ। ବିଷ୍ଣୁ ପୁରାଣ ଅନୁସାରେ, କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ ଭଗବାନ ବିଷ୍ଣୁ ତାଙ୍କର ଦଶ ଅବତାରର ପ୍ରଥମ ଅବତାର ଧାରଣ କରିଥିଲେ । ଜଳ ପ୍ରଳୟ ସମୟରେ ସାରା ପୃଥିବୀ ଜଳମଗ୍ନ ହୋଇଯାଇଥିଲା। ସେତେବେଳେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାରରେ ସସସ୍ତଙ୍କୁ ରକ୍ଷା କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିବା ଯୋଗୁଁ ବୈଷ୍ଣବ ମତରେ ଏହି ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି । ସେହିପରି ଶୈବ ମତ ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ତ୍ରିପୁରାସୁରକୁ ସଂହାର କରିଥିଲେ ଭଗବାନ ଶିବ। ଯେଉଁଥିପାଇଁ ତାଙ୍କ ନାଁ ତ୍ରିପୁରାରୀ ରହିଛି । ମାସସାରା ହବିଷ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇ ବ୍ରତ ଉଦ୍‌ଯାପନ କରନ୍ତି ।

Advertisement

ବହୁ ପୂରାତନ କାଳରୁ ଏହି ପରମ୍ପରା ପାଳନ କରାଯାଉଛି । ଓଡ଼ିଆ ଲୋକଙ୍କ ସଂସ୍କୃତି, ପରମ୍ପରା, ଚାଲିଚଳଣି ତଥା ଧର୍ମୀୟ ଭାବନା ସହ ଜଡ଼ିତ । ତେବେ କାର୍ତ୍ତିକ ପୂର୍ଣ୍ଣିମା ଦିନ କଦଳୀ ପଟୁକାରେ ନିର୍ମିତ ଡ଼ଙ୍ଗା ଭସାଇବାର ବିଧି ପ୍ରଚଳିତ ରହିଛି । ଏହିଦିନ ବଡି ଭୋରୁ ଉଠି ଆବାଳ ବୃଦ୍ଧ ବନିତା ବୁଡ଼ ପକାଇ କଦଳୀ ପାଟୁକାରେ ଡଙ୍ଗା ତିଆରି କରି ସେଥିରେ ଦୀପ ଓ ପାନଗୁଆ ଥୋଇ ଭସାଇଥାଆନ୍ତି । ଏହି ସମୟରେ ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର ଗୀତ ଗାଇ ଡଙ୍ଗା ଭସା ଯାଏ । କାର୍ତ୍ତିକ ପୂର୍ଣ୍ଣିମା ପଛର କାହାଣୀ ପୂର୍ବକାଳରେ ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ମାସରେ ବେପାର ବାଣିଜ୍ୟ କରିବା ପାଇଁ ବୋଇତରେ ବିଦେଶ ଯାଉଥିଲେ । କାର୍ତ୍ତିକ ମାସକୁ ସେମାନେ ସମୁଦ୍ରରେ ବୋଇତ ନେଇଯିବାକୁ ପ୍ରକୃଷ୍ଟ ସମୟ ଭାବୁଥିଲେ । କାର୍ତ୍ତିକରେ ଯାଇ ସାଧବ ପୁଅମାନେ ବାଣିଜ୍ୟ ସାରି ପୁଣି ଆଷାଢ଼ ମାସରେ ଫେରୁଥିଲେ ।ତେବେ ଏହି ପରମ୍ପରା ତଥା ସାଧବପୁଅଙ୍କ ବୋଇତ ଯାତ୍ରାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଯାଇଥାଏ । ସେପଟେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼କୁ ନଜରର ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published. Required fields are marked *