Pratidin TV

Odisha's Digital News Platform

ଅଟ୍ଟାଳି ଜଗନ୍ନାଥଙ୍କ ରଥ କାହିଁକି କେବଳ ମହିଳାଙ୍କ ଦ୍ୱାରା ଟଣାଯାଏ ?

1 min read

ଆଠଗଡ; ଆଠଗଡ ର ଆରାଧ୍ୟ ଦେବ ଶ୍ରୀଶ୍ରୀ ଅଟ୍ଟାଳି ଜଗନ୍ନାଥ ଙ୍କ ଘୋଷଯାତ୍ରା ଆଉ ମାତ୍ର ଦୁଇଦିନ ପରେ ଅନୁଷ୍ଠିତ ହେବ।ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡ଼ୁଛି।ସେଥିପାଇଁ ନୀତିକାନ୍ତି ସଠିକ ସମୟରେ ସମାପନ କରି ଠାକୁର ଙ୍କୁ ରଥାରୂଢ଼ କରିବାକୁ ଦେବୋତ୍ତର ପ୍ରଶାସନ ତରଫରୁ ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି ବୋଲି ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଓ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ସୂଚନା ଦେଇଛନ୍ତି।

ପୂର୍ବରୁ ଠାକୁର ଙ୍କ ନବକଳେବର ହେବାର ପରମ୍ପରା ନଥିଲା। ଗତ ୨୦୧୫ ମସିହାରେ ନବକଳେବର ପରମ୍ପରା ସୃଷ୍ଟି କରାଯାଇ ପୁରୀ ରୁ ନୂତନ ବିଗ୍ରହ ଆଣି ପ୍ରତିଷ୍ଠା କରାଗଲା। ପୂର୍ବରୁ ଏଠାରେ ଗୋଟିଏ ରଥ ରେ ଜଗନ୍ନାଥଙ୍କୁ ରଥାରୂଢ଼ କରି ରଥଯାତ୍ରା କରାଯାଉଥିଲା। କାଳକ୍ରମେ ଶ୍ରୀ ଜଗନ୍ନାଥ ବଲ୍ଲଭରେ ପୂଜା ପାଉଥିବା ମଠ ଜଗନ୍ନାଥ ଙ୍କୁ ବାଇଆ ରଥ ନାମକ ଅନ୍ୟ ଏକ ଛୋଟ ରଥରେ ବସାଇ ଅଟ୍ଟାଳି ଜଗନ୍ନାଥଙ୍କ ଘୋଷଯାତ୍ରା ରେ ସାମିଲ କରାଗଲା।ବଡ ରଥ ପଛେ ପଛେ କେବଳ ମହିଳା ମାନଙ୍କ ଦ୍ଵାରା ଏହି ରଥଟଣା ଯାଇଥାଏ। ଏ ସମସ୍ତ କାର୍ଯ୍ୟ ଦେବୋତ୍ତର ବିଭାଗ ଦ୍ଵାରା କରାଯାଉଥିବା ବେଳେ ଗତ ୨୦୦୩- ୦୪ ମସିହାରେ ମଠ ଜଗନ୍ନାଥ ଙ୍କ ରଥ ନବକଳେବର କରାଗଲା।

Advertisement

ତତ୍କାଳୀନ ଉପଜିଲ୍ଲାପାଳ ତଥା ଆଠଗଡ ଦେବୋତ୍ତର ମୁଖ୍ୟ କାର୍ଯ୍ୟନିର୍ବାହୀ ଙ୍କ ପ୍ରଚେଷ୍ଟାରେ ପୁରୀରୁ ଶ୍ରୀବଳଭଦ୍ର,ସୁଭଦ୍ରା ଓ ସୁଦର୍ଶନ ଙ୍କ ବିଗ୍ରହ ଅଣାଯାଇ ଜଗନ୍ନାଥ ବଲ୍ଲଭ ମଠରେ ମଠ ଜଗନ୍ନାଥଙ୍କ ସହ ସ୍ଥାପନ କରାଯାଇ ଛୋଟ ରଥରେ ବସାଇ ରଥଯାତ୍ରା ରେ ସାମିଲ କରାଗଲା।ଏହି ରଥକୁ କେବଳ ମହିଳା ମାନେ ଟାଣିବାର ପରମ୍ପରା ସୃଷ୍ଟି କରାଗଲା।ଆଜି ସୁଦ୍ଧା ସେହି ପରମ୍ପରା ବଜାୟ ରହିଛି।ରାଜାଙ୍କ ଶାସନ କାଳରେ ଅଟ୍ଟାଳି ଜଗନ୍ନାଥ ବଡ଼ରଥ ୧୬ ଚକ ବିଶିଷ୍ଟ ଥିବା ବେଳେ ଏବେ ଆଠଗୋଟି ଚକ ରହିଅଛି।ରଥଯାତ୍ରା ଓ ବାହୁଡା଼ ଯାତ୍ରାରେ ବାଟରେ ମାଉସୀ ମା ଭାବେ ମା ବାଉତି ଙ୍କ ପୀଠରେ ପୋଡପିଠା ଭୋଗ ଲାଗି ହେବା ଓ ରଘୁନାଥଙ୍କ ମନ୍ଦିର ସାମ୍ନାରେ ଭେଟ ଆଳତି ହେବା ଯାତ୍ରାକୁ ଅଧିକ ଆକର୍ଷଣୀୟ କରିଥାଏ।ଇତି ମଧ୍ୟରେ ଦୁଇଟିଯାକ ରଥ ନିର୍ମାଣ ଚୂଡ଼ାନ୍ତ ପର୍ଯ୍ୟୟ ରେ ପହଁଚିଛି।

ଶ୍ରୀ ଅଟ୍ଟାଳି ଜଗନ୍ନାଥ ଙ୍କ ବଡ଼ ରଥ ଶ୍ରୀ ଜଗନ୍ନାଥ ବଲ୍ଲଭ ସାନ ରଥର ନିର୍ମାଣ ଶେଷ ହୋଇଛି କେବଳ କପଡା ଲାଗିବା କାର୍ଯ୍ୟ ବାକି ଅଛି।ମହାରଣା ସେବାୟତ ଭାସ୍କର ମହାରଣା ନେତୃତ୍ୱରେ ୬ ଜଣ ମହାରଣା ସେବକ ଓ ୮ ଜଣ ସହଯୋଗୀ ଶ୍ରମିକ ୨୫ ଦିନ ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ଅଟ୍ଟାଳି ଜଗନ୍ନାଥ ଙ୍କ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ରଥ ରେ ଅଟ୍ଟାଳି ଜଗନ୍ନାଥ ଓ ସୁଦର୍ଶନ ଓ ୩୨ ଫୁଟ ଉଚ୍ଚତା ଥିବା ମଠ ଜଗନ୍ନାଥଙ୍କ ରଥରେ ମଠ ଜଗନ୍ନାଥ ଙ୍କ ସହ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଶ୍ରୀଗୁଣ୍ଡିଚା ଯାତ୍ରା କରିବାର ପରମ୍ପରା ରହିଛି।ଚଳିତ ବର୍ଷ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଙ୍କ ନିର୍ଦ୍ଦେଶରେ ଉଭୟ ରଥ ରେ ମଣ୍ଡନ କରିବା ପାଇଁ ନୂଆ କପଡା,ନୂଆ ଦଉଡ଼ି,ଆଲଟ,ଚାମର ଓ ଛତ୍ରି କ୍ରୟ କରାଯାଇଛି।ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ହେବା ଲକ୍ଷ୍ୟରେ ପୋଲିସ ପ୍ରଶାସନ ତରଫରୁ ଦୁଇ ପ୍ଲାଟୁନ ଫୋର୍ସ ସହ ଅଧିକାରୀ ମାନେ ଉପସ୍ଥିତ ରହିବେ ବୋଲି ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ ସୂଚନା ଦେଇଛନ୍ତି। ଆସନ୍ତା ରବିବାର ଘୋଷ ଯାତ୍ରା ପୂର୍ବରୁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଦୁଇଟିଯାକ ରଥକୁ ତଦାରଖ କରି ପ୍ରମାଣପତ୍ର ଦେବା ପରେ ରଥ ଟାଣିଵାକୁ ପ୍ରସାଶନ ଅନୁମତି ଦେବ।ରଥ, ପଥ ଓ ଭକ୍ତ ପ୍ରସ୍ତୁତ ଥିବା ବେଳେ ଏବେ କେବଳ ଠାକୁର ମାନଙ୍କ ରଥାରୂଢ଼ କୁ ଅପେକ୍ଷା।

Leave a Reply

Your email address will not be published. Required fields are marked *