Pratidin TV

Odisha's Digital News Platform

କାହିଁକି ଶ୍ରୀମନ୍ଦିରେ ରହିଛି ବାଇଶି ପାହାଚ?ନିର୍ମାଣ ପଛରେ ରହିଛି ଅନେକ ରହସ୍ୟ..

1 min read

ପୁରୀ ଶ୍ରୀମନ୍ଦିରର ପ୍ରତ୍ୟେକଟି ନିର୍ମାଣ ପଛରେ କିଛି ନା କିଛି ଇତିହାସ ରହିଛି। ଦ୍ଵାଦଶ ଶତାବ୍ଦୀରେ ନିର୍ମିତ ଶ୍ରୀମନ୍ଦିରର ପ୍ରତ୍ୟେକଟି ଅଂଶରେ ଚାରୁ ଭାସ୍କର୍ଯ୍ୟକଳାର ଝଲକ ଦେଖିବାକୁ ମିଳିଥାଏ। ମନ୍ଦିର ବେଢ଼ା ଭିତରକୁ ପ୍ରବେଶ କରିବା ପାଇଁ ମୁଖ୍ୟ ଦ୍ଵାର ସିଂହଦ୍ଵାର ପରେ ବାଇଶିଟି ପାହାଚ ରହିଛି। ଏହି ବାଇଶି ଗୋଟି ପାହାଚର ନିର୍ମାଣ ସହିତ ଯୋଡ଼ିହୋଇ ରହିଛି ଅନନ୍ୟ କିମ୍ଵଦନ୍ତୀ। ତେବେ ଆସନ୍ତୁ ଜାଣିବା ବାଇଶି ପାହଚର ସେହି କିମ୍ଵଦନ୍ତୀ ସମ୍ପର୍କରେ।ବାଇଶି ପାହାଚର ଧୁଳି ମୁଣ୍ଡରେ ମାରିଲେ ସବୁ ପାପ କ୍ଷୟ ହୁଏ ବୋଲି ମାନାଯାଏ । ଗୁଣ୍ଡିଚା ସମୟରେ ଯେବେ ମହାପ୍ରଭୁ ଜଗନ୍ନାଥ ରଥକୁ ଯାଇଥାନ୍ତି ବାଇଶି ପାହାଚ ଦେଇ ଯାଇଥାନ୍ତି ।ମାନାଯାଏ ତାଙ୍କର ଚରଣ ସ୍ପର୍ଶ ପାଇଁ ୨୨ଟି ଚଣ୍ଡୀ ମାତା ୨୨ ଜଣ ପାହାଚ ରୂପାନ୍ତରିତ ହୋଇ ରହିଥାନ୍ତି ।

ପୌରାଣିକ କଥାବସ୍ତୁ ଅନୁଯାୟୀ ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ଵରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭ କଲେ। ଜାତକ ତିଆରି କଲା ବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ। ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ। ଜମ୍ବେଶ୍ଵର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ। ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ। ଶ୍ରଦ୍ଧାଳୁମାନେ ସେଥି ପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି। ବାଇଶିପାହାଚ ସିଂହଦ୍ଵାର ଗୁମୁଟରୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅର୍ଥାତ କୁର୍ମବେଢ଼ା, ରୋଷଶାଳ, ଆନନ୍ଦ ବଜାର ଯିବା ପାଇଁ ଥିବା ବାଇଶି ଗୋଟି ପାହାଚ ବାଇଶିପାହାଚ ନାମରେ ଜଣା। ବାଇଶିପାହାଚ ବଉଳମାଳା ମାଙ୍କଡ଼ା ପଥରରେ ତିଆରି। ପାହାଚଗୁଡ଼ିକର ଓସାର ୬ଫୁଟ, ଲମ୍ବ ୭୦ଫୁଟ ଓ ଉଚ୍ଚତା ୬ଇଞ୍ଚରୁ ୭ଇଞ୍ଚ ମଧ୍ୟରେ ହେବ। ବାଇଶିପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ। ଭକ୍ତମାନେ ବର୍ଷ ସାରା ବାଇଶିପାହାଚ ବାଟ ଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ଵିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶିପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି।

Advertisement

ବାଇଶି ପାହାଚର ଅଧିଷ୍ଠାତ୍ରୀ ଦେବୀଗଣ ହେଲେ ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି, ଲଜ୍ଜା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତ, ଭ୍ରାନ୍ତି ଓ ପ୍ରଜ୍ଞା। ବିଶ୍ଵାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ। ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ ଅଟେ। ବାଇଶି ପାହାଚରେ ଦ୍ଵିତୀୟ ସୋପାନରେ ରହିଛି ଜମଶିଳା। ଶ୍ରଦ୍ଧାଳୁ ମାନେ ଏହି ଶିଳାକୁ ସ୍ପର୍ଶ କରି ଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ। ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି।

Leave a Reply

Your email address will not be published. Required fields are marked *