ସର୍ମ୍ପକ ଭୁଲିଲା ଦିଅର ; ଜମିବାଡି ବିବାଦକୁ ନେଇ ଘଟାଇଲା ଲଙ୍କାକାଣ୍ଡ …
1 min readଉଦଳା : ଜମିବାଡି ବିବାଦକୁ ନେଇ ଲଙ୍କାକାଣ୍ଡ । ଦିଅର ଭୁଲିଗଲା ହିତାହିତ ଜ୍ଞାନ । ସାମାନ୍ୟ ଜାଗା ଟିକିଏ ପାଇଁ ନିଜ ଭାଉଜକୁ ଅତି ନିର୍ଦ୍ଦୟ ଭାବେ ଆକ୍ରମଣ କରିଛି ଦିଅର। ଆଉ ଆକ୍ରମଣରେ ଗୁରୁତର ହୋଇ ଭାଉଜ ଏବେ ଡାକ୍ତରଖାନାରେ ଜୀବନ ମରଣ ସହିତ କରୁଛି ସଂଗ୍ରାମ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ନୁଦଡିହା ନୂଆଗାଁ ଗ୍ରାମରେ । ନୂଆଗାଁ ଗ୍ରାମର ଆରତୀ ରାଉତ ନିଜ ଜମି ଉପରେ ଘର ତିଆରି କରିଛନ୍ତି ।
ଉକ୍ତ ଘର ତିଆରି ପୂର୍ବରୁ ଜମିବାଡିକୁ ନେଇ ଥିବା କଥାକୁ ଆରତୀ ଏବଂ ତାଙ୍କ ଦିଅର ଶରତ ଚନ୍ଦ୍ର ରାଉତଙ୍କ ସମେତ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ସମାଧାନ କରାଯାଇଥିଲା । ହେଲେ ଗତକାଲି ହଠାତ୍ ଦିଅର ରକ୍ତ ଚାଉଳ ଚୋବାଇ ଜମିବାଡିକୁ ନେଇ ଆରମ୍ଭ କରିଥିଲା ବିବାଦ । ଯାହାକି ହଠାତ୍ ଆରତୀଙ୍କ ଘରକୁ ଆସି ଦିଅର ଶରତ ଚନ୍ଦ୍ର ରାଉତ ଏଠାରେ କଣ ପାଇଁ ଘର କରୁଛ ବୋଲି କହିବା ସହିତ ଗାଳିଗୁଲଜ କରିଥିଲା । ଏହା ସହିତ ଘରର ଅଧା ନିର୍ମିତ କାନ୍ଥକୁ ଗୋଇଠା ମାରି ଭାଙ୍ଗି ଦେଇଥିଲା । ଏହାକୁ ବିରୋଧ କରିଥିଲେ ଆରତୀ । ଏହା ପରେ ଉତକ୍ଷିପ୍ତ ହୋଇ ଦିଅର ଶରତ ନିଜ ଭାଉଜ ଆରତୀଙ୍କୁ ମାଡ ମାରି ତଳେ ପକାଇ ଦେବା ପରେ ଏକ ଶାବଳରେ ତାଙ୍କ ମୁଣ୍ଡକୁ ମାରି ଫଟାଇ ଦେଇଥିଲା ।
ଯେଉଁଥିରେ ଆରତୀ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଉଦଳା ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ଓ ତତପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଆଇସିୟୁରେ ଜୀବନ ମରଣ ସହିତ ସଂଘର୍ଷ କରୁଛନ୍ତି ।ଏହି ଘଟଣାକୁ ନେଇ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ଝିଅ କପ୍ତିପଦା ଥାନାରେ ଅଭିଯୋଗ କରିଥିଲେ ସୁଦ୍ଧା ଏତେ ପର୍ଯ୍ୟନ୍ତ ଆକ୍ରମଣକାରୀକୁ ପୋଲିସ୍ ଗିରଫ କରିପାରିନାହିଁ ।