Pratidin TV

Odisha's Digital News Platform

ନଡିଆକତା ଦେଲା ନୂଆ ପରିଚୟ : ବର୍ଷକୁ ରୋଜଗାର ଲକ୍ଷାଧିକ ଟଙ୍କା…

1 min read

ଭଞ୍ଜନଗର : ନଡ଼ିଆ କତା ଦେଖାଇଛି ମହିଳାଙ୍କୁ ରୋଜଗାର । ନଡ଼ିଆ କତାରେ ସୁନ୍ଦର ସୁନ୍ଦର ଘର ସଜା ଉପକରଣ ନିଜ ହାତରେ ତିଆରି କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରି ପାରୁଛନ୍ତି । ଏବେ ସେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ସ୍ୱାବଲମ୍ବୀ ମହିଳା ବବିତା ପରିଡା । ନିଜେ ସ୍ୱାବଲମ୍ବୀ ହେବା ସହ ମହିଳାମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ନଡ଼ିଆ କତାକୁ ବିଣ୍ଡା କରି ଧରିବା ପରେ ସେଥିରେ ସୂତା ଗୁଡ଼ାଇ ବିଭିନ୍ନ ପଶୁ ପକ୍ଷୀର ଆକାର ଦିଅନ୍ତି।ପରେ ଅଠା ସାହାଯ୍ୟରେ ରଙ୍ଗ ବେରଙ୍ଗର କପଡା ଲଗାଇ ଘର ସଜା ଉପକରଣ ଗୁଡିକୁ ଅଧିକ ଆକର୍ଷଣୀୟ କରିଥାନ୍ତି ।ସକାଳୁ ଉଠି ଘର କାମ ସାରିବା ପରେ ନଡ଼ିଆ କତା କୁ ଧରି ନିଜ କାମରେ ଲାଗି ପଡନ୍ତି ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଗଣ୍ଡାଧାର ଗାଁ ର ବବିତା ପରିଡା ।

Advertisement

ଚଢେଇ ବସା, ହାତୀ, ଘୋଡା, ହରିଣ, ପକ୍ଷୀ, ମାଛ, କଇଁଛ, କୁମ୍ଭୀର,ଘର ଭଳି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଉପକରଣ ତିଆରି କରିଥାନ୍ତି।ଦୀର୍ଘ ଦଶ ବର୍ଷ ହେଲା ଏହି ବ୍ୟବସାୟ କରି ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି।ମହିଳା ମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ନାବାର୍ଡ ନାମକ ସଂସ୍ଥା ୧୨ ବର୍ଷ ପୂର୍ବରୁ ଗଣ୍ଡାଧାର ଗାଁର ୩୦ ଜଣ ମହିଳାଙ୍କୁ ନେଇ ନଡ଼ିଆ କତାରୁ ବିଭିନ୍ନ ଉପକରଣ ତିଆରି କରିବାର ତାଲିମ୍ ଦେଇଥିଲେ।ବର୍ତ୍ତମାନ ଗାଁରେ ମାତ୍ର ଦୁଇରୁ ତିନି ଜଣ ମହିଳା ଏହି ବୃତ୍ତି ଆପଣାଇ ନେଇଛନ୍ତି। ପୂର୍ବରୁ କମ୍ ସାମଗ୍ରୀ ତିଆରି କରୁଥିବାରୁ କମ୍ ରୋଜଗାର ହେଉଥିଲା ଏବେ କିନ୍ତୁ ଏବେ ୟୁଟୁବ୍ରୁ ଦେଖି ଅଧିକ ଡିଜାଇନ୍ ର ସାମଗ୍ରୀ ତିଆରି କରାଯାଉଛି।ଯାହାକୁ ଲୋକେ ଅଧିକ ମାତ୍ରାରେ କିଣୁଛନ୍ତି।ପୂର୍ବରୁ ଏବେ ଅଧିକ ରୋଜଗାର ହେଉଥିବା କହିଛନ୍ତି ବବିତା ପରିଡ଼ା।

ପତ୍ନୀଙ୍କ ବ୍ୟବସାୟରେ ଭଲ ରୋଜଗାର ହେଉଥିବା ଦେଖି ସ୍ୱାମୀ ଇନ୍ଦ୍ରଶେନ ମଧ୍ୟ ଏହି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ପିପିଲି ଅଞ୍ଚଳରୁ ନଡ଼ିଆ କତା କିଣି ଆଣୁଥିବା ବେଳେ ଭୁବନେଶ୍ୱରରୁ ରଙ୍ଗ ବେରଙ୍ଗ  କପଡା, ଚୁମୁକି, ଲେସ, ଓ ଉଲ୍ ସାମଗ୍ରୀ କିଣି ଆଣିଥାନ୍ତି।ସେ ସବୁ କୁ  କଣ୍ଢେଇ ଗୁଡିକରେ ଲଗାଇ ସୁନ୍ଦର ଭାବେ ତିଆରି କରିଥାନ୍ତି।ବଜାରରେ ଏହି କଣ୍ଢେଇ ଗୁଡ଼ିକର ଚାହିଦା ଖୁବ ଭଲ ରହିଛି । ଯାତ୍ରା,ଉତ୍ସବ ଗୁଡିକରେ  ଷ୍ଟଲ କରି କଣ୍ଢେଇ ଗୁଡିକୁ ବିକ୍ରୀ କରି ଭଲ ରୋଜଗାର କରି ପାରୁଛନ୍ତି। ପୂର୍ବ ଅପେକ୍ଷା ଏବେ ଘରର ଆର୍ଥିକ ସ୍ଥିତି ଭଲ ଥିବାରୁ ବବିତାଙ୍କ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି । ବବିତାଙ୍କ ସ୍ୱାମୀ ମଧ୍ୟ କଞ୍ଚାମାଲ କିଣିବା ଠୁ ଆରମ୍ଭ କରି ବିକ୍ରୀ ପର୍ଯ୍ୟନ୍ତ ସବୁ କାମରେ ସହଯୋଗ କରୁଥିବ କହିଛନ୍ତି । ନଡ଼ିଆ କତାରୁ ତିଆରି ସାମଗ୍ରୀ ର ଚାହିଦା ଅଧିକ ଥିବାରୁ  ସାହି ପଡୋଶୀର ମହିଳା ମାନେ କଣ୍ଢେଇ ପ୍ରସ୍ତୁତି ଶିଖିବାକୁ ଆଗ୍ରହ ଦେଖାଉଛନ୍ତି ।ବବିତା ଙ୍କ ଠାରୁ କଣ୍ଢେଇ ତିଆରି କାମ ଶିଖିବା ସହିତ ଅନ୍ୟ ଉପରେ ନିର୍ଭର ନକରି ନିଜେ ରୋଜଗାରକ୍ଷମ ହେବାକୁ ଚେଷ୍ଟା କରୁଥିବା କହିଛନ୍ତି ସ୍ଥାନୀୟ ମହିଳା।

Leave a Reply

Your email address will not be published. Required fields are marked *