Pratidin TV

Odisha's Digital News Platform

ବିଶ୍ୱ ଘରଚଟିଆ ଦିବସ : ନିରବି ଗଲାଣି ଏ ନୀରିହ ପକ୍ଷୀ ..

1 min read

କିଚିରି ମିଚିରି ଶବଦ କରେ, ଘରେ ଘରେ ନୀଡ ରଚନା କରେ । କହିକି ପାରିବ ତା ନାମ ପିଲେ । ସମସ୍ତେ ଏକା ସହ ପ୍ରଶ୍ନର ଉତ୍ତର ଦିଅନ୍ତି ‘ଘରଚଟିଆ’ । ହେଲେ ଏହି ଘରଚଟିଆ ଆଉ ଦେଖିବାକୁ ମିଳୁନାହାଁନ୍ତି । ହଜିବାକୁ ବସିଲେଣି ଘରଚଟିଆ । ଏବେ କାଁଭାଁ ଶୁଭୁଚି କିଚିରିମିଚିରି ଡାକ । ଆମ ସମାଜ ତଥା ଚାଷୀର ପରମ ବନ୍ଧୁ ଭାବେ ବେସ ଜଣାଶୁଣା ଏହି ପକ୍ଷୀ ଗାଁରେ ଆଉ ଦେଖିବାକୁ ମିଳୁନାହିଁ ।ସାନ ସିନା ଦାନତା ମହାନ । ଏହି କଥାର ଯଥାର୍ଥ ପ୍ରତିପାଦନ କରୁଥିବା ପକ୍ଷୀ ହେଉଛି ଘରଚଟିଆ, ଯାହା ଏବେ ବିଲୁପ୍ତ ହେବାକୁ ବସିଛି । ଘରଚଟିଆଙ୍କ ରହଣି ସ୍ଥଳ ଗାଁରେ ଥିବା ଚାଳ ଘର ଏବେ ନଥିବା କାରଣରୁ ଏହି ପକ୍ଷୀ ଏବେ ବିଲୁପ୍ତ ହେବାର ମୁଖ୍ୟ କରଣ ବୋଲି ପରିବେଶବିତ କହିଛନ୍ତି । ସେହିପରି ସବୁଆଡେ କଂକ୍ରିଟ ଜଙ୍ଗଲ ଓ ପରିବେଶ ତାର ସନ୍ତୁଳନ ହରାଇବା ମଧ୍ୟ ଅନ୍ୟ ଏକ କାରଣ ବୋଲି ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ସଚେତନତା ଅଭାବରୁ ଘର ଚଟିଆଙ୍କ ବଂଶ ବୃଦ୍ଧି ହୋଇପାରୁନାହିଁ ।

ଘରଚଟିଆ ଗୋଟିଏ ଛୋଟିଆ ପକ୍ଷୀ ହୋଇଥିଲେ ମଧ୍ୟ ଲୋକଙ୍କ ମନରେ ବେଶ ଖୁସି ଉନ୍ମାଦନା ସୃଷ୍ଟି କରିଥାଏ ।କିଚିରି ମିଚିରି ଶବ୍ଦ କରି ଘର ଚାରି ପାଖେ ବୁଲିବା ସହ ଘରର ଚାଳରେ ଘରଚଟିଆ ବସା ବାନ୍ଧିଥାଏ । ଲୋକଙ୍କ ସହ ସତେ ଯେମିତି ତାର ସମ୍ପର୍କ ରହିଛି ସେଥିପାଇଁ ତ ବଣ ଜଙ୍ଗଲରେ ନରହି ନଡା ଛପର ଘର ମାନଙ୍କରେ ଏମାନେ ବସା ବାନ୍ଧିଥାନ୍ତି । ସମୟର ପରିବର୍ତ୍ତନ ସାଙ୍ଗକୁ ସବୁ କିଛି ବଦଳି ଗଲାଣି । ଘର ଚଟିଆ ମଧ୍ୟ ଦେଖିବା ଯେପରି ସ୍ୱପ୍ନ ହୋଇଗଲାଣି । ଦିନକୁ ଦିନ ଏହି ବଂଶ ଲୋପ ହେବାକୁ ବସିଥିବା ବେଳେ ଏ ଦିଗରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ୨୦ ତାରିଖକୁ ଘରଚଟିଆ ଦିବସ ପାଳନ କରାଯାଉଛି । ଏମାନଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବାରୁ ଏହି ଦିବସ ପାଳନ କରାଯାଉଛି ।

Advertisement

ଘରଚଟିଆଙ୍କ ସଂଖ୍ୟା ବହୁତ ହ୍ରାସ ପାଇବା ସହ ଏବେ ଏହା ଏକ ବିରଳ ପକ୍ଷୀରେ ପରିଣତ ହୋଇଛି । ଭାରତୀୟ ପରିବେଶବିତ୍ ମହମ୍ମଦ ଦିଲାୱର୍ଙ୍କ ଦ୍ୱାରା ପ୍ରତିଷ୍ଠିତ ‘ନେଚର୍ ର୍ଫଏର୍ଭ ସୋସାଇଟି’ ଦ୍ୱାରା ଏହି ଦିବସ ପାଳନ ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଥିଲା । ୨୦୧୦ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଇଥିଲା । ଏହି ଦିବସର ଉଦ୍ଦେଶ୍ୟ ହେଲା ଲୋପ ପାଇବାକୁ ବସିଥିବା ଘରଚଟିଆର ସଂରକ୍ଷଣ । ବହୁମାତ୍ରାରେ କୀଟନାଶକ ବ୍ୟବହାର, ଗୃହନିର୍ମାଣ ଢାଞ୍ଚାରେ ପରିବର୍ତ୍ତନ ଓ ଘର ସହ ସଂଲଗ୍ନ ବଗିଚା ହ୍ରାସ ପାଇବା ଯୋଗୁଁ ଏହା ଏକ ବିରଳ ପକ୍ଷୀ ହେବାର ମୁଖ୍ୟ କାରଣ କୁହାଯାଉଛି । ଏହାସହିତ ମୋବାଇଲ୍ ଓ ଟିଭି ଟାୱାରଗୁଡ଼ିକରୁ ହେଉଥିବା ବିକିରଣ ଘରଚଟିଆମାନଙ୍କ ମୃତ୍ୟୁର ଅନ୍ୟତମ କାରଣ ହୋଇଛି । ଘରଚଟିଆମାନଙ୍କୁ ସୁରକ୍ଷା ଦେବା ପାଇଁ ଭାରତବର୍ଷରେ ବିଭିନ୍ନ ରାଜ୍ୟର ଏନ୍‌ଜିଓମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଘରଚଟିଆ ପରିବେଶରୂପୀ ଶରୀରର ଏକ ପ୍ରମୁଖ ଅଙ୍ଗ । ଯଦି ବେଳ ଥାଉ ଥାଉ ତାର ଯତ୍ନ ନ ନେବା ତେବେ ଆମ ପରିବେଶ ପାଇଁ ଏହା ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିବ ।

Leave a Reply

Your email address will not be published. Required fields are marked *