Pratidin TV

Odisha's Digital News Platform

ଚାଷୀ ମୁଣ୍ଡରେ ଚିନ୍ତା , ଖରିଫ୍ ଋତୁରେ ନିଅଣ୍ଟ ବର୍ଷା ।

ଖରିଫ ଋତୁରେ ବର୍ଷା ସଙ୍କଟ ସାଙ୍ଗକୁ କେନାଲରେ ଚାଷ କାର୍ଯ୍ୟ ପାଇଁ ନାହିଁ ପାଣି। ଆଷାଢ଼ ମାସ ଆରମ୍ଭ ହୋଇଥିଲେ ହେଁ କାଁ ଭାଁ ବର୍ଷା ଚାଷ ଜମି ପାଇଁ ପର୍ଯ୍ୟାପ୍ତ ହେଉନଥିବା ବେଳେ ଜଳସେଚନ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁଁ ସଂକଟରେ ଚାଷୀ ଓ ଚାଷ।

କୁହାଯାଏ “ଚାଷ ତରତର ବଣିଜ ମଠ” ଅର୍ଥାତ ପ୍ରତ୍ୟକ ଚାଷୀ ଚାଷ କରିବା ପାଇଁ ତରତର ହୋଇଥାଏ କାରଣ ରଜପର୍ବ ପରେ ପହିଲି ଆଷାଢ଼ର ବର୍ଷା ଆଣିଦେଇଥାଏ ଚାଷୀ ମନରେ ଆନନ୍ଦ।ଅକ୍ଷୟ ତୃତୀୟାରୁ ଜମିରେ ପାଣିମଡ଼ାଇ ବିହନ ଛିଞ୍ଚି ଥିବା ଚଷାପୁଅ ରଜପର୍ବ ପରେ ନିଜ ଚାଷ ଜମିରେ ହଳ କରି ଧାନ ଫସଲ ଆରମ୍ଭ କରିଥାଏ।ଚଳିତବର୍ଷ ମୌସୁମୀ ବାୟୁ ଆଗମନରେ ବିଳମ୍ବ ହୋଇଥିବା ବେଳେ ଏପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ଦେଖା ନଥିବା ବେଳେ ଚାଷ କାମ ଆରମ୍ଭ ହୋଇପାରିନାହିଁ ଯେଉଁଥିପାଇଁ ଏବେ ଚାଷୀ ମୁଣ୍ଡରେ ଚିନ୍ତା।ଆଷାଢ଼ ମାସର ଅଧା ଦିନ ଚାଲି ଯାଇଥିବା ବେଳେ ବର୍ଷା ନହେବା କାରଣରୁ ନା ଶୁଖିଲା ବିଲରେ ହଳ ଚାଲୁଛି ନା ବୁଣା ଯାଇପାରୁଛି ବିହନ।କେବଳ କାନ ମୁଣ୍ଡ ଆଉଁଶି ଚଷା ପୁଅ ଇନ୍ଦ୍ରଦେବଙ୍କ ଆରାଧନା କରିବା ସାର ହୋଇଛି।

କେବଳ ବର୍ଷାଭାବ ନୁହେଁ, ଜିଲ୍ଲାର କୌଣସି କେନାଲରେ ଅଦ୍ୟାବଧି ବୁନ୍ଦାଏ ପାଣି ଆସିନାହିଁ। ଜିଲ୍ଲାର ୭ଟି ବ୍ଲକରେ କେନାଲ ସିଷ୍ଟମ ରହିଥିବା ବେଳେ ଏବେ ପାଣି ମୁନ୍ଦାଏ କେନାଲରେ ଆସିବା ସ୍ୱପ୍ନ ପାଲଟିଛି। କେନାଲରେ ପାଣି ଆସିବା ଦୂରର କଥା ଏଯାବତ କେନାଲ ସଫେଇ ହୋଇପାରିନାହିଁ। ଅନାବନା ଘାସ ବଣ ସହ କେନାଲ ଭିତରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହେବା ସାର ହୋଇଥିବା ବେଳେ ଏଥିପ୍ରତି ନା ପାଣି ପଞ୍ଚାୟତର ନିଘା ଅଛି ନା ଅଛି ବିଭାଗୀୟ ଅଧିକାରୀଙ୍କ ନଜର ଯାହାକୁ ନେଇ ଚାଷ ଉପରେ ନିର୍ଭର କରୁଥିବା କେନ୍ଦ୍ରାପଡା ଜିଲ୍ଲା କିପରି ବଞ୍ଚିବ ସେନେଇ ସଂଶୟ ସୃଷ୍ଟି ହୋଇଛି।ଅନ୍ୟପଟେ କିଛି ସ୍ଥାନ ମାନଙ୍କରେ ୨/୪ କିଲୋମିଟର ଦୂରରୁ ଡିଜେଲ କିମ୍ବା ପେଟ୍ରୋଲ ପମ୍ପ ପକାଇ ଚାଷୀମାନେ ପାଣି ମଡ଼ାଇ ହଳ କରୁଥିବା ଦେଖାଯାଇଛି।ଏନେଇ କେନ୍ଦ୍ରାପଡା ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କର ପ୍ରତିକ୍ରିୟା ଲୋଡିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେବାପାଇଁ ଅମଙ୍ଗ ହୋଇଛନ୍ତି।

Leave a Reply

Your email address will not be published. Required fields are marked *