କେତେ ସୁରକ୍ଷିତ ବାଣୀବିହାର କ୍ୟାମ୍ପସ୍ ? ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ …
1 min readଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ବାଣୀବିହାର କ୍ୟାମ୍ପସ ପରିସରରେ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତ ଦେହ। ମୃତ ଯୁବକ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା ପିପିଲି ବ୍ଲକ ଦାଣ୍ଡ ମକୁନ୍ଦପୁର ଅଞ୍ଚଳର ଉତ୍ତମ ନାୟକ (୨୧) । ତେବେ ଉତ୍ତମ ପରିବାର ସହ ବାଣୀବିହାର କ୍ୟାମ୍ପସ ପରିସରରେ ରହୁଥିଲେ । କାରଣ ତାଙ୍କ ମାଁ ବାଣୀବିହାର ହଷ୍ଟେଲରେ କାମ କରନ୍ତି ଆଉ ଉତ୍ତମ ଜଣେ ଅଟୋ ଚାଳକ ଭାବେ କାମ କରନ୍ତି ।
ତେବେ ଗତକାଲି ରାତିରେ ଘରେ ଥିଲେ କିନ୍ତୁ ହଠାତ୍ ଆଜି ସକାଳୁ ଝୁଲନ୍ତା ଅବସ୍ଥା ରେ ତାଙ୍କ ମୃତ ଦେହ କ୍ୟାମ୍ପସ ପରିସରରେ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଏହାପରେ ସ୍ଥାନୀୟ ଲୋକେ ସିକ୍ୟୁରିଟିକୁ ଜଣାଇବା ସହ ସହିଦନଗର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତମଙ୍କ ମୃତଦେହକୁ ଚିହ୍ନଟ କରିଥିଲା । ଉତ୍ତମ ଏକ କମ୍ ଉଚ୍ଚତା ବିଶିଷ୍ଟ ଗଛରେ ଝୁଲିବା ସହ ତାଙ୍କ ଶରୀରରେ କ୍ଷତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଏନେଇ ପରିବାର ଲୋକେ ସହିଦନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁ୍ଯାୟୀ ପୁଅ ଉତ୍ତମଙ୍କୁ ତାଙ୍କର ଜଣେ ବନ୍ଧୁ ସନିଆ ଦାସ କିଛିଦିନ ପୂର୍ବରୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ତେବେ ସେହି ସାଙ୍ଗ ହିଁ ଉତ୍ତମକୁ ଡାକି ତା ଜୀବନ ନେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ।
ଅନ୍ୟପଟେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ତେବେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଦେଇଛି । ଏଠାରେ ଜନ ସାଧାରଣଙ୍କ ମନରେ ପ୍ରଶ୍ନ ଉଠୁଛି ଯେ , ଓଡିଶାର ନାମି ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ପରିସରରେ ଯଦି ଏଭଳି ଅଘଟଣ ଘଟୁଛି ତେବେ ଏଠାରେ ଛାତ୍ରଛାତ୍ରୀ କେତେ ସୁରକ୍ଷିତ ?