ଗରିବ ପୁଅର ସଫଳଯାତ୍ରା: ମୁମ୍ବାଇ ସମୁଦ୍ର ଛାତିରେ ଓଡ଼ିଶା ପାଇଁ ଆଣିଲେ ସ୍ବର୍ଣ୍ଣ ପଦକ…
1 min readଇତିହାସ ରଚିଲେ ଓଡିଆ ପୁଅ । ସେଲ ଇଣ୍ଡିଆ ୨୦୨୪ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଓଡିଶା ପାଇଁ ଆଣିଲେ ଗର୍ବ ଆଉ ଗୌରବ ।ତେବେ ବଡ ମଣିଷ ହେବା ପାଇଁ, ସଫଳତାକୁ ହାତମୁଠାରେ ପାଇବା ପାଇଁ ସବୁବେଳେ ଆମ ପାଖରେ ସୁବିଧା ସୁଯୋଗ ଉପଲବ୍ଧ ନ ଥାଏ । କିନ୍ତୁ ଉପରକୁ ଉଠିବାର ଲକ୍ଷ୍ୟ ଯଦି ଦୃଢ ଥାଏ ତେବେ ସବୁ ଅସୁବିଧା କେତେବେଳେ ସୁବିଧାରେ ପରିଣତ ହୋଇଯାଏ ଜାଣି ହୁଏନି । ନିଷ୍ଠା , ଆତ୍ମବିଶ୍ୱାସ ଏବଂ ଦୃଢ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି । ଏଇ ଚାବିକାଠିରେ ଏକ ବଡ ସଫଳତାକୁ ହାତମୁଠାରେ ପାଇ ପାରିଛନ୍ତି କଟକ ଜିଲ୍ଲାର ଜଣେ ଗରିବ ଘରର ପୁଅ । ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଏଇ ଗରିବ ଘରର ପୁଅ ଆଜି ଓଡିଶା ପାଇଁ ଆଣି ଦେଇଛନ୍ତି ସ୍ୱର୍ଣ୍ଣପଦକ ।
ମୁମ୍ବାଇ ର ଗିରା ଗାଁଓ ଚୌପାଟି ଠାରେ ଇଣ୍ଡିଆ ୟାଚିଂ ଆସୋସିଏସନ୍ ଦ୍ୱାରା ଆୟୋଜିତ ସେଲ ଇଣ୍ଡିଆ ୨୦୨୪ ଜାନୁଆରୀ ମାସ ୧୨ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ୧୫ ବର୍ଷରୁ କମ୍ ବର୍ଗର ଏହି ଜାତୀୟ ପ୍ରତିଯୋଗିତା ରେ ବିଭିନ୍ନ ରାଜ୍ୟ ରୁ ପ୍ରତିଯୋଗୀମାନେ ଭାଗ ନେଇଥିବା ବେଳେ କଟକ ରୁ ଭାଗ ନେଇଥିଲେ ରଜା ଅହମ୍ମଦ ଖାନ । ରଜା କଟକ ରେ ନବମ ଶ୍ରେଣୀ ରେ ପାଠ ପଢୁଥିବା ବେଳେ ପିଲାଟି ଦିନରୁ ସେଲିଂ ପ୍ରତି ରୁଚି ରଖନ୍ତି । ଏହି ପ୍ରତିଯୋଗିତା ପାଇଁ ଅନ୍ତର୍ଜାତୀୟ ସ୍କୁବା ଡ଼ାଇଭର ସବୀର ବକ୍ସ ରାଜା ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସେଠାରେ ବେଶ୍ କଡ଼ା ମୁକାବିଲା ଭିତରେ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ହରାଇ ରାଜା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ପୂର୍ବରୁ ୨୦୨୩ ରେ ମଧ୍ୟ ରଜା ଆସାମ ର ଗୌହାଟୀ ରେ ରୌପ୍ୟ ପଦକ ଜିତିସାରିଛନ୍ତି । ସେଲିଂ ପ୍ରତିଯୋଗିତା ସମୟରେ ରଜା ଅନେକ ଅସୁବିଧାର ସମ୍ମୁଖିନ ହୋଇଥିବା ବେଳେ ନିଜର ଦୃଢ଼ ମନୋବଳ ଯୋଗୁ ସଫଳ ହୋଇ ପାରିଥିବା କଥା କହିଛନ୍ତି । ଅନେକ ଘାତ ଓ ପ୍ରତିଘାତ ମଧ୍ୟରେ ସଫଳତା ହାସଲ କରିଥିବା ଯୋଗୁ ବେଶ୍ ଖୁସି ଅଛନ୍ତି ରଜା ଅହମ୍ମଦ ଖାନ୍ । ତେବେ ତାଙ୍କ ସଫଳତାକୁ ନେଇ ବେଶ୍ ଖୁସି ପ୍ରକଟ କରିଛନ୍ତି ରଜା ଅହମ୍ମଦଙ୍କ ବାପା ନସିମ ଖାନ୍ । ସେ କହିଛନ୍ତି ସରକାରୀ ପ୍ରୋତ୍ସାହନ ମିଳିଲେ ଆଗକୁ ଅଲମ୍ପିକ୍ସ ରେ ଭାଗ ନେବା ପାଇଁ ପ୍ରୟାସ କରିବେ ତାଙ୍କ ପୁଅ ।