Pratidin TV

Odisha's Digital News Platform

(ଭିଡିଓ)୮ଘଣ୍ଟା ପରେ ସଫଳ ହେଲା ମିଶନ,ବୋରଓ୍ବେଲରୁ ଉଦ୍ଧାର ହୋଇ ଦ୍ୱିତୀୟ ଜନ୍ମ ପାଇଲା କଅଁଳ ଶିଶୁ…

1 min read

ବୋରୱେଲ୍‌ରୁ ଜୀବିତ ଅବସ୍ଥାରେ ଉଦ୍ଧାର ପାଇଲା କଅଁଳା ଶିଶୁ । ୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଭିତରେ ଫସିଥିଲା କଅଁଳା ଜୀବନ । ମାସେ କି ବର୍ଷେ ନୁହେଁ, ଦିନେ ଦୁଇଦିନର ନବଜାତ । କେହି ଛୁଆଟିକୁ ଜନ୍ମ କରିବା ପରେ ବୋରୱେଲ ଭିତରେ ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ହେଲେ ଗାତରେ ଫସିଥିବା ଶିଶୁର ଜୀବନ ବଂଚାଇବାକୁ ଜାରି ରହିଥିଲା ଉଦ୍ୟମ । ଶେଷରେ ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ସମସ୍ତଙ୍କ ଉଦ୍ୟମରେ ଶିଶୁଟିର ଉଦ୍ଧାର ହେଲା । କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଆଜି ସମ୍ବଲପୁର ରେଙ୍ଗାଲିରେ ଯାହା ଘଟିଲା ତାହା ସବୁ ଓଡ଼ିଆଙ୍କ ଭିତରେ ଭୟ ସୃଷ୍ଟି କରି ଦେଇଥିଲା । ଉତ୍ତରକାଶୀ ଟନେଲ ଘଟଣା ମନ ରୁ ଲିଭି ନଥିଲା ବେଳେ ନବଜାତ ଶିଶୁ ସହ ଆଜି ଯାହା ଘଟିଲା ତାହା ଥିଲା ଲୋମ ଟାଙ୍କୁରା ଘଟଣା। ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକର ଲରିପାଲି ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ ବୋରଓ୍ବେଲ ଭିତରୁ ଗୋଟେ ଶିଶୁର କାନ୍ଦିବ ଶୁଣିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାମ। ଶିଶୁଟି କାହାର, ସେ କେମିତି ପରିତ୍ୟକ୍ତ ବୋରଓ୍ବେଲ ଭିତରେ ପଡିଲା, ତାକୁ କିଏ ପକାଇଲା, ତାହା କେହି ଜାଣିନଥିଲେ। କିନ୍ତୁ ଶିଶୁଟିର କାନ୍ଦ ସମସ୍ତଙ୍କୁ ବିଚଳିତ କରିଥିଲା। ଶିଶୁଟିର କାନ୍ଦ ଶୁଣିବା ପରେ ପୁଲିସ, ଅଗ୍ନିଶମ ବିଭାଗ ଆଉ ପ୍ରଶାସନ ନିକଟରେ କଥା ପହଞ୍ଚିଥିଲା । ସମସ୍ତେ ଧାଇଁ ଯାଇଥିଲେ ଶିଶୁଟିକୁ ବଞ୍ଚାଇବା ପାଇଁ । ଆଉ ସମ୍ବଲପୁରର ଘଟଣା ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଚହଳ ପକାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ଅଗ୍ନିଶମ ଡିଜିଙ୍କ ତତ୍ତ୍ବାବଧାନରେ ଉଦ୍ଧାର କାମ ଆଗକୁ ବଢିଥିଲା। ବୋରୱେଲ ଭିତରେ ଥିବା ଛୁଆର କାନ୍ଦ ବାହାରକୁ ଶୁଭିଥିଲା । ଶୀତ ଲାଗୁଥିବାରୁ ବୋରୱେଲ ଭିତରକୁ ପ୍ରଥମେ ବଲ୍‌ବ ପଠାଯାଇଥିଲା । ସାମାନ୍ୟ ଉଷୁମ ଦେବାକୁ ଶହେ ୱାଟ୍‌ ବଲ୍‌ବ ଭିତରକୁ ଝୁଲାଯାଇଥିଲା । ଟିକେ ଉଷୁମ ଲାଗିଲା ପରେ ବୋର୍‌ୱେଲ ଭିତରେ ଛୁଆ କାନ୍ଦ ଶୁଭିଥିଲା । ଛୁଆର କାନ୍ଦ ଶୁଣି ଉଦ୍ଧାର ପାଇଁ ଶହେ ଗୁଣ ଉତ୍ସାହରେ ଲାଗି ପଡ଼ିଥିଲେ ଉଦ୍ଧାରକାରୀ ।ବୋରୱେଲ ପାଇପ କଟାଯାଇ ଛୁଆକୁ ଉଦ୍ଧାର କରାଯାଇଛି । ଇଲେକ୍ଟ୍ରି କଟରରେ ନୁହେଁ, ଆରିପାତରେ କଟାଯାଇଛି ପାଇପ୍‌ । ଛୁଆକୁ କିପରି ଆଘାତ ନ  ଲାଗିବ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା ।ଶେଷରେ ବୋରୱେଲ୍‌ରୁ ଜୀବିତ ଅବସ୍ଥାରେ ଉଦ୍ଧାର ପାଇଲା କଅଁଳା ଶିଶୁ । ଆମ୍ବୁଲାନ୍ସରେ ଶିଶୁକୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଛି । 

Advertisement

Leave a Reply

Your email address will not be published. Required fields are marked *