Pratidin TV

Odisha's Digital News Platform

ନୟାଗଡର ମା’ ଦକ୍ଷିଣ କାଳୀଙ୍କ ମହିମା ; ଭକ୍ତ ପାଇଁ ଶୁଖାଇ ଦେଇଥିଲେ ଖରସ୍ରୋତା ….

1 min read

ନୟାଗଡ ; ପ୍ରତ୍ୟକ୍ଷ ଦେବୀ ମା ଦକ୍ଷିଣ କାଳୀ । ଯେଉଁ ରୂପରେ ଭକ୍ତ ତାକୁ ଡାକିଦିଅନ୍ତି ମାଁ ତାକୁ ସେଇ ରୂପରେ ଦେଖା ଦିଅନ୍ତି । ନୟାଗଡର ମା ଦକ୍ଷିଣ କାଳୀଙ୍କ ମହିମା ସାରା ଓଡିଶାକୁ ଜଣା । କେବଳ ଓଡିଶା କାହିଁକି ରାଜ୍ୟ ବାହାରେ ମଧ୍ୟ ମା ଙ୍କ ମହିମା ସଭିଙ୍କୁ ଜଣା । ପୂର୍ବେ ଦକ୍ଷିଣ କାଳୀ ଥିଲେ ଖଣ୍ଡପଡ଼ା ରାଜଗୁରୁ, ବ୍ରାହ୍ମଣ ଘରର ଇଷ୍ଟଦେବୀ । ମାତ୍ର ପରବର୍ତ୍ତୀ ସମୟରେ ଭଗବାନ୍ ରାୟଗୁରୁ ପୂଜାପଦ୍ଧତି ସମ୍ପର୍କରେ ଅଜ୍ଞ ଥିବାରୁଦେବୀଙ୍କ କ୍ରୋଧରେ ତାଙ୍କର ମୃତ୍ୟୁ ଘଟିଲା । ଭଗବାନ୍ ରାୟଗୁରୁଙ୍କପୁତ୍ର ରଘୁନାଥ ରାୟଗୁରୁ ଏହା ଜାଣିପାରି ଦେବୀଙ୍କୁ ଘରୁ ନେଇ ‘ନନ୍ଦନବନ’ରେ ସ୍ଥାପନା କଲେ। ରଘୁନାଥ ରାୟଗୁରୁଙ୍କୁ ମଧ୍ୟ ଦେବୀ ଅର୍ଚ୍ଚନା ନିମନ୍ତେ ମନ୍ତ୍ର ଉପଚାର ବିଷୟ ଅଜ୍ଞାତ ଥିଲା ।

ଏକଦା ନୟାଗଡ଼ର ପ୍ରସିଦ୍ଧ ତାନ୍ତ୍ରିକ ବିଧାର ସାମନ୍ତ ଏ ବିଷୟରେ ଅବଗତ ହୋଇ ‘ନନ୍ଦନବନ’ରେ ପ୍ରବେଶ କଲେ । ଦେବୀମୂର୍ତ୍ତିକୁ ଦେଖୁ ଦେଖୁ ହିଁ ସେ ତାଙ୍କର ମହିମା ସମ୍ପର୍କରେ ଜ୍ଞାତ ହେଲେ । ତେବେ ନନ୍ଦନବନର ନିଘଞ୍ଚ ଅରଣ୍ୟ ଭିତରେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ଆସିବାର କାରଣରୁ ବିଧାର ଦେବୀଙ୍କ ଶରଣାପନ୍ନ ହୋଇ ରମାଦେବୀ ପୀଠରେ ବିଶ୍ରାମ ନେଲେ। ଏତିକିବେଳେ ଶୂନ୍ୟବାଣୀ ହେଲା: ବିଧାର ! ମୋତେ ନୟାଗଡ଼କୁ ନେଇଯାଅ । ଇତିପୂର୍ବରୁ ବିଧାରଙ୍କୁ ରାମଚଣ୍ଡୀ ସ୍ଵପ୍ନରେ କହିସାରିଥିଲେ ଯେ ‘ମୋର ଭଉଣୀ ଦକ୍ଷିଣକାଳୀ ନୟାଗଡ଼ଠାରେ ବିଜେହେବା ପାଇଁ ମୋ ପାଖରେ ସଦାବେଳେ ଅଳି କରି ବସୁଛି । ତେଣୁ କାଳବିଳମ୍ବ ନ କରି ତାକୁ ନୟାଗଡ଼ ଘେନି ଯାଅ ।’ ତେଣୁ ତତ୍‌କ୍ଷଣାତ୍‌ବିଧାର ଶୂନ୍ୟବାଣୀ ଅନୁଯାୟୀ ମା’ ଦକ୍ଷିଣକାଳୀଙ୍କ ହାତ ଧରି ନିଘଞ୍ଚ ଅରଣ୍ୟ ମଧ୍ୟରୁ ରାତାରାତି ନୟାଗଡ଼ ଅଭିମୁଖେ ଯାତ୍ରାଆରମ୍ଭ କଲେ । ବାଟରେ ପଡ଼ିଲା ଡାହୁକା ନଦୀ । ସମୟ ଥିଲା ବର୍ଷାଋତୁ । ଖରସ୍ରୋତା ଡାହୁକା ପ୍ରବଳ ବେଗରେ ମାଡ଼ି ଚାଲିଛି। ବିଧାରଙ୍କ ଛାତିରେ ଛନକା ପଶିଗଲା । ଏ ଭୟଙ୍କର ନଦୀସ୍ରୋତ ସେ ଡେଇଁବେ କିପରି ? ଏତିକିବେଳେ ବିଧାର ଚିନ୍ତା କଲେ- ମା’ ଦକ୍ଷିଣକାଳୀ ! ମୁଁ ଏବେ ତତେ ଧାରଣ କରିଛି । ତୁ ଯଦି ପ୍ରକୃତରେ ଶକ୍ତି ସ୍ୱରୂପିଣୀ ହୋଇଥୁବୁ, ତେବେ ଏ ଘୋର ସଙ୍କଟରୁ ମତେ ଉଦ୍ଧାର କରିବୁ ।

Advertisement

ଚାହୁଁ ଚାହୁଁ ନଦୀ ଜଳ ଶୁଖି ବାଲି ଦେଖାଗଲା । ବିଧାର ହର୍ଷୋତ୍ଫୁଲ୍ଲ ହୋଇ ନଦୀ ପାର ହେଲେ ଓ ନୟାଗଡ଼ରେ ପହଞ୍ଚିଲେ । ମାତ୍ର ନୟାଗଡ଼ରେ ପହଞ୍ଚିବା ପରେ ରାଜାଙ୍କ ବିନାନୁମତିରେ କାଳୀପୂଜା କଲେ ରାଜଦଣ୍ଡ ମିଳିପାରେ, ଏହି ଭୟରେ ବଳରାମ ପାହାଡ଼ରେ ଲତାକୁଞ୍ଜ ଘେରା ଏକ ଅରଣ୍ୟ ଗୁମ୍ଫାରେ ନେଇ ଦେବୀଙ୍କୁ ସ୍ଥାପନା କଲେ । ତତ୍ପରେ ଏକୋଇଶ ଦିନ କାଳ ବିଧାର ବିଧି ବିଧାନ ସହକାରେ କାଳୀପୂଜା କଲେ । ମାତ୍ର ସବୁଦିନ କଣ୍ଟକିତ ପାର୍ବତ୍ୟ ପଥ ଅତିକ୍ରମ କରି ଦେବୀପୂଜା କରିବାରେ ବିଧାର ପ୍ରଚଣ୍ଡ ଶାରୀରିକ ପୀଡ଼ା ଅନୁଭବ କରିବାରୁ ଦେବୀଙ୍କ ନିର୍ଦ୍ଦେଶକ୍ରମେ ବିଧାର ନିଜ ଘର ନିକଟସ୍ଥ ଏକ ସରୋବରיକୂଳରେ ମା ଦକ୍ଷିଣକାଳୀଙ୍କୁ ସ୍ଥାପନା କରିଥିଲେ। ଅବ୍ଦୁଲ୍ ସତାର ଖାଁ ନୟାଗଡ଼ର ସୁପରିନ୍ଟେଣ୍ଡେଣ୍ଟ ଥିଲାବେଳେ ଦେବୀଙ୍କ ପାଇଁ ଏକ ଆସ୍ଥାନ ନିର୍ମାଣ କରିଦେଇଥିଲେ । ପରେ ଭକ୍ତମାନଙ୍କର ଅବଦାନ ଓ ସାହାଯ୍ୟକୁ ପାଥେୟ କରି ଏକ ମନ୍ଦିର ନିର୍ମାଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *